ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର
ପୋଲସରା (ଓ୍ବାଇଏନଏସ) : ପୋଲସରା ବ୍ଲକ କାର୍ଯ୍ୟାଳୟ ପରିସରର ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା କାର୍ଯ୍ୟକ୍ରମରେ ଯୋଗଦେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଉପରେ ବିସ୍ତୃତ ଆଲୋଚନା କରି ବିଭିନ୍ନ ସମସ୍ୟାକୁ ସମାଧାନ କରିଥିଲେ। ପୋଲସରା ବ୍ଲକର ସମସ୍ତ ୨୬ ଗୋଟି ପଞ୍ଚାୟତର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଯେଉଁଠି ସମସ୍ୟା ରହୁଛି ତାହାକୁ ସମାଧାନର କରାଯାଇ କାର୍ଯ୍ୟ ଆଗକୁ ବଢାଇବା ଲାଗି ଜିଲ୍ଲା ପ୍ରଶାସନ ଜନପ୍ରତିନିଧିମାନଙ୍କୁ କହିଥିଲେ। ସମଗ୍ର ଶିକ୍ଷା ଉପରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ଲାଗି ସରକାର ଯେଉଁ ପୋଷାକ ଦେଉଛନ୍ତି ତାହା ଟେଣ୍ଡର କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କିଛି ଦୋକାନୀଙ୍କ ଦ୍ୱାରା ମିଳିଥାଏ। କିନ୍ତୁ ଠିକ ତରିକାରେ ଟେଣ୍ଡର ହୋଇନଥିବା ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ ଅଭିଯୋଗ କରିଥିଲେ। ପଞ୍ଚାୟତ ଗୁଡିକର କାମକୁ ନେଇ ଯେଉଁ ସମସ୍ୟା ରହୁଛି ସେ ନେଇ ଏଡିଓ ବୃନ୍ଦଙ୍କୁ ପଚାରିବାରେ ସେମାନେ କୌଣସି ଉତ୍ତର ଦେଇପାରିନଥିଲେ। କନିଷ୍ଠ ଯନ୍ତ୍ରୀ ଓ ଏଡିଓ ମାନଙ୍କ ମଧ୍ୟରେ କୌଣସି ସମନ୍ୱୟ ରାହୁନଥିବା କାରଣରୁ ବିଡ଼ିଓ ଓ ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ବିରକ୍ତ ପ୍ରକାଶ କରି ସଠିକ ଭାବେ କାର୍ଯ୍ୟ କରିବା ପାଇଁ ତାଗିଦ କରିଥିଲେ। ଖାଉଟି କାର୍ଡ ଉପରେ ମଧ୍ୟ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ମଲାଣ, ଅତିରିକ୍ତ ବିଡ଼ିଓ ସୋନମ ବେହେରା, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ବ୍ଲକ ସାମାଜିକ ସମୀକ୍ଷକ ବିଷ୍ଣୁ ଚରଣ ଗୌଡ଼, ଅତିରିକ୍ତ ପ୍ରକଳ୍ପ ଅଧିକାରୀ କବିରାଜ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, ବିକ୍ରମ ନାୟକ ସମେତ ସରପଞ୍ଚମାନେ ଉପସ୍ଥିତ ଥିଲେ।