ବେନିୟମ ଭାବେ ଶିକ୍ଷକ ଡେପୁଟେଶନକୁ ନେଇ ବଢୁଛି ଅସନ୍ତୋଷ
ହାଟଡିହି ବେନିୟମ ଭାବେ ଶିକ୍ଷକ ଡେପୁଟେଶନକୁ ନେଇ ସମଗ୍ର ବ୍ଲକ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ନୀତି ନିୟମ କୁ ପାଳନ ନ କରାଯାଇ ମନ ଇଚ୍ଛା ଡେପୁଟେସନ୍ କରାଯାଉ ଥିବାରୁ ଶିକ୍ଷାଦାନରେ ବାଧା ଉପୁଜିଛି। ଯାହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନ କରିବାକୁ ଶିକ୍ଷକ ମାନେ ଚେତାବନୀ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଗତ କିଛି ମାସ ହେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକ ବଦଳି କରା ଯାଉଛି। କାହାକୁ ଡେପୁଟେସନ୍ ତ କାହାକୁ ଆଡଜଷ୍ଟମେଣ୍ଟ ବୋଲି କୁହା ଯାଉଛି। ଯାହାକୁ ନେଇ ଅନେକ ସ୍କୁଲରେ ଆନ୍ଦୋଳନ ସହିତ ତାଲା ପଡ଼ିବା ଘଟଣା ଘଟୁଛି। ସିଆରସିସି ଭାବେ କାର୍ଯ୍ଯ କରୁଥିବା ପ୍ରଦୀପ ଦେହୁରୀଙ୍କ କାର୍ଯ୍ୟକାଳ ସରିବା ପରେ ଗତ ୨୫/୭/୨୦୨୫ ରେ ଚିଠି ନଂ ୨୭୪୧(୧)ରେ ବଞ୍ଚୋ ବାରାହୀ ଏମ.ଇ ସ୍କୁଲରେ ନିଯୁକ୍ତି ଦିଆଗଲା। କିନ୍ତୁ ଦିନ କେଇଟା ପରେ ପୁନଶ୍ଚ ତାଙ୍କୁ ୧୯/୯/୨୦୨୫ ରେ ଚିଠି ନଂ ୩୪୩୩ରେ ପଞ୍ଚୁଗୋଚ୍ଛିଆ ଗୋପାଳଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ କରାଯାଇଛି। ନିୟମତ ଡେପୁଟେଶନ ରୁ ଡେପୁଟେଶନ କରାଯିବାର ନିୟମ ନଥିବା ବେଳେ ଏଠାରେ କିପରି ଏପରି କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ଏହି ଜଣେ ଶିକ୍ଷକ ନୁହନ୍ତି ଏପରି ଶହେରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀଙ୍କ ହୋଇଥିବା ଶିକ୍ଷକ ସଙ୍ଘ ପକ୍ଷରୁ କୁହା ଯାଇଛି। ସେହିପରି ଟୁକୁଣା ସ୍କୁଲର ଶିକ୍ଷକ ରାଜୀବ ଲୋଚନ ସାହୁଙ୍କ ମୂଳ ସ୍କୁଲ ଅଢେଇଦ୍ଵାର ୟୁଜିୟୁପି ସ୍କୁଲ ଥିବା ବେଳେ ତାଙ୍କୁ ବାରମ୍ବାର ଭିନ୍ନ ଭିନ୍ନ ସ୍କୁଲ୍ କୁ ଡେପୁଟେସନରେ ପଠା ଯାଉଛି। ୫ବର୍ଷ ଭିତରେ ୬ଟି ସ୍ଥାନକୁ ବଦଳି ହେଲେଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ସେ ଏବେ ବିଏଲଓ କାମରେ ନିୟୋଜିତ ଥିବା ବେଳେ ତାଙ୍କୁ ଆ ମ୍ୱୋ ସ୍କୁଲ କୁ ବଦଳି କରାଯାଇଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ଭୋଟର କାର୍ଯ୍ୟରେ ନିୟୋଜିତ ଶିକ୍ଷକ ମାନଙ୍କୁ ବଦଳି କରାଯିବାର କୌଣସି ନିୟମ ନଥିବା ବେଳେ ଏପରି ବଦଳି କୁ ନେଇ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ସରକାରଙ୍କ ନିୟମ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିନା ଅନୁମୋଦନରେ ଶିକ୍ଷକ ବଦଳି କିମ୍ବା ଡେପୁଟେଶନ ହୋଇ ପାରିବ ନାହିଁ। କିନ୍ତୁ ହାଟଡିହି ବ୍ଲକରେ ଏପରି କରାଯାଉଥିବା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଯଦି ଏଥିରେ ସଂଶୋଧନ କରା ନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆସନ୍ତାକାଲି ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବଞ୍ଚୋ ବାରାହୀ ଏମ.ଇ ସ୍କୁଲ ରେ ମାତ୍ର ୫୧ଜଣ ଛାତ୍ରଛାତ୍ରୀ ଥିବା ବେଳେ ୪ଜଣ ଶିକ୍ଷକ ଥିଲେ। ଭୁଲ୍ କ୍ରମେ ଆଉ ଜଣେ ଶିକ୍ଷକ ଦେଇ ଦେଇଥିଲୁ, ତେଣୁ ତାଙ୍କୁ ଅନ୍ୟତ୍ର ଏକ ଜଣେ ଶିକ୍ଷକ ଥିବା ସ୍କୁଲ କୁ ଦେଇଛୁ ଟବୋଲି କହିଛନ୍ତି। ଯଦି ସେହି ସ୍କୁଲରୁ ଶିକ୍ଷକ ଅଣାଯିବ ତେବେ ବରିଷ୍ଠତା ଭିତ୍ତିରେ ଅଣାଯିବା କଥା ବୋଲି ସଙ୍ଘ କର୍ମକର୍ତ୍ତା ମାନେ କହିଛନ୍ତି।


