କେନ୍ଦୁଝର ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଅଧିକରୁ ଅଧିକ ପଦକ୍ଷେପ ନିଆଯିବ ଓ କେନ୍ଦ୍ର ସରକାରଙ୍କ ସୌଜନ୍ୟରୁ ଦେଶର ବିଭିନ୍ନ ସ୍ଥାନରେ ସାଂସଦ ଖେଲ ମହୋତ୍ସବ ଅନୁଷ୍ଠିତ ହୋଇ କ୍ରୀଡାର ବିକାଶ ପାଇ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ନାୟକ ପ୍ରକାଶ କରିଛନ୍ତି । କେନ୍ଦୁଝର ଷ୍ଟାଡିୟମରେ ରବିବାର ଦିନ ସାଂସଦ ଖେଳ ମହୋତ୍ସବକୁ ଉଦଘାଟନ କରି ନିଜ ବକ୍ତବ୍ୟରେ ସାଂସଦ ଶ୍ରୀ ଅନନ୍ତ ନାୟକ ପ୍ରକାଶ କରିଥିଲେ ଯେ, କେନ୍ଦୁଝର ଜିଲ୍ଲାରେ କ୍ରୀଡାବିତଙ୍କ ବିଭିନ୍ନ କ୍ରୀଡାରେ ସଫଳ ପ୍ରଦର୍ଶନ କରାଇବା ବେଶ ଆନନ୍ଦର କଥା । କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଏହି ସାଂସଦ ଖେଳ ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଓ ଆଗ୍ରହ ଯୋଗୁଁ ଅନୁଷ୍ଠିତ ହେଉଛି । ଏହି କ୍ରୀଡାର ବିକାଶ ପାଇଁ କେନ୍ଦୁଝର ଜିଲ୍ଲାର କୋଣ ଅନୁକୋଣର ୮ହଜାରରୁ ଉର୍ଦ୍ଧ ଖେଳାଳୀ ପଞ୍ଜୀକରଣ କରିଥିବାବେଳେ ଏହା କ୍ରୀଡାର ଏକ ଜିଲ୍ଲାସ୍ତରୀୟ ମହାକୁମ୍ଭରେ ପରିଣତ ହୋଇଛି ବୋଲି ସେ ନିଜ ଅଭିଭାଷଣରେ କହିଥିଲେ । ଏହି ସାଂସଦ ଖେଳ ମହୋତ୍ସବରେ ସମ୍ମାନିତ ଅତିଥି ଭାବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇଥିବାବେଳେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ସଭାପତିତ୍ୱ କରିଥିଲେ । କେନ୍ଦୁଝର ଏସପି ନିତିନ କୁଶଲକର,ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ସାଂସଦ ଖେଳ ମହୋତ୍ସବର ସଂଯୋଜକ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ଏହି ମହୋତ୍ସବର ଉଦଘାଟନ ପୂର୍ବରୁ ଅତିଥିମାନଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ଜନଜାତି ନୃତ୍ୟ ଓ ବ୍ୟାଣ୍ଡର ତାଳେ ତାଳେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ମା’ ତାରିଣୀ ଏବଂ ଭାରତମାତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ସଙ୍ଗୀତ ଶିକ୍ଷକ ପ୍ରହ୍ଲାଦ ମହାନ୍ତଙ୍କ ସଂଯୋଜନାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ । ଉପସ୍ଥିତ ଅତିଥି ମାନେ ଭାଗ ନବାକୁ ଆସିଥିବା ଖେଳାଳି ମାନଙ୍କ ସାହି କଥା ହେବା ସହିତ ଉର୍ନତ ମାନର ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ।


