ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ-ନିୟମ ଉଲ୍ଲଙ୍ଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସାଧାରଣତଃ ପାର୍ବଣ ଋତୁରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ ବହୁ ମାତ୍ରାରେ ବ୍ୟବହାର ହୋଇଥାଏ । ଜନସାଧାରଣ ମାନେ ପୂଜା ସମୟରେ ପଲିଥିନ ବ୍ୟାଗ,କପ,ପ୍ଲେଟ,ଗ୍ଲାସ,ଥର୍ମୋକୁଲ ଇତ୍ୟାଦି ବହୁଳ ମାତ୍ରରେ ବ୍ୟବହାର କରିଥାନ୍ତି । ଫଳରେ ପରିବେଶ ପ୍ରଦୂଷିତ ହୋଇଥାଏ । ପୂଜାସ୍ଥଳରେ ମଧ୍ୟ ପୂଜା କମିଟି ମାନେ ନିଷିଦ୍ଧ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ଦ୍ୱାରା ପୂଜା ମଣ୍ଡପକୁ ସଜାଇବା,ପ୍ରସାଦ ଏବଂ ପାଣି ବଂଟନ କରିଥାନ୍ତି । ଫଳରେ ବହୁଳ ମାତ୍ରାରେ ଏହା ବ୍ୟବହାର ହୋଇଥାଏ । ଏସବୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ପୂଜା କମିଟିକୁ ଅନୁମତି ଦେବା ପୂର୍ବରୁ କେତେକ ନିୟମ ପାଳନ କରିବା ପାଇଁ ଆନନ୍ଦପୁର,କେନ୍ଦୁଝର,ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ପୌରପାଳିକା ଏବଂ ଚମ୍ପୁଆ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ପୂଜା କମିଟିମାନେ ଅନୁମତି ନେବା ବେଳେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଏକ ଅଣ୍ଡରଟେକିଂ ପ୍ରଦାନ କରିବେ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ ରହିଛି । ଏହାର ତଦାରଖ ପୌରପାଳିକା ପକ୍ଷରୁ ନିୟମିତ କରାଯିବ । ପ୍ରଦୂଷଣ ମୁକ୍ତ ପୂଜା ପାଳନ କରିବା ନିମିତ୍ତ ଜନସାଧାରଣ ଏବଂ ଭକ୍ତଙ୍କ ସଚେତନତା ପାଇଁ କମିଟି ସଦସ୍ୟମାନେ ପୂଜା ମଣ୍ଡପ ନିକଟରେ ଓଡିଆ ଏବଂ ଇଂରାଜୀରେ ସ୍ପଷ୍ଟ ଲେଖାଥିବା ସଚେତନତା ବାର୍ତ୍ତା ଝୁଲାଇବେ । ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପରିବର୍ତ୍ତେ ଜନସାଧାରଣଙ୍କ ବ୍ୟବହାର ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ପୂଜା କମିଟିମାନେ କରିବେ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଅନୁସାରେ ପୂଜା ସ୍ଥଳରେ ସୃଷ୍ଟି ହେଉଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପୂଜା କମିଟିମାନେ କରିବେ । ମୂର୍ତ୍ତୀ ନିର୍ମାଣ ସମୟରେ ପ୍ରାକୃତିକ ମୂତ୍ତିକା ସହିତ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୂର୍ତ୍ତୀର ଉଚ୍ଚତା ୨୦ ଫୁଟ ଏବଂ ପୂଜା ମଣ୍ଡପର ଉଚ୍ଚତା ୪୦ ଫୁଟ ମଧ୍ୟରେ ରଖିବା ପାଇଁ କମିଟିମାନେ ପଦକ୍ଷେପ ନେବେ । ପୂଜା ମଣ୍ଡପ ନିକଟରେ ଓଦା ଓ ଶୁଖିଲା ବର୍ଜ୍ୟ ଲାଗି ପୃଥକ୍ ଡଷ୍ଟବିନ ରହିବ । ଏହାସହ ସଂଗୃହୀତ ଅଳିଆକୁ ପୌରପାଳିକା ପକ୍ଷରୁ ନିୟୋଜିତ ସଫେଇ ଗାଡି ନିୟମିତ ଭାବେ ଉଠାଇ ନେବ । ପୂଜାରେ ବ୍ୟବହୃତ ଫୁଲରୁ ଧୂପକାଠି ତିଆରି ହେବାକୁ ଥିବାବେଳେ ପ୍ରସାଦ ଇତ୍ୟାଦି ସେବନ ପାଇଁ ଠୁଙ୍ଗା-ଖଲି ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପୂଜା ମଣ୍ଡପକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ସାମୂହିକ ପୂଜା କରୁଛନ୍ତି, ସେହି ସ୍ଥାନର ୫ମିଟର ଚତୁଃପାଶ୍ୱର୍କୁ ନିଜ ଦାୟିତ୍ୱରେ ସଫା ରଖିବାକୁ ପରାମର୍ଶ ଦିଆଯାଇଛି । ଖାଲି ସେତିକି ନୁହେଁ, ସମସ୍ତ ପ୍ରକାର ବିଦ୍ୟୁତ ସଂଯୋଗର ବୈଧତା ଓ ନିରାପତ୍ତା ରକ୍ଷା କରିବା ଓ ବିଦ୍ୟୁତ ବିତରକ ଟିପିଏନଓଡିଏଲ ର ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । ପ୍ରସାଦ ସେବନ ସମୟରେ ଏବଂ ପରେ ପରିଚ୍ଛନ୍ନତା ରକ୍ଷା କରିବା ସହ ପ୍ରତ୍ୟେକ ମଣ୍ଡପର ନିରାପତ୍ତା ଓ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମଣ୍ଡପ କମିଟିକୁ କୁହାଯାଇଛି । ପୂଜା ପରେ ମୂର୍ତ୍ତୀଗୁଡିକୁ ପୌରପାଳିକା ଦ୍ୱାରା ନିର୍ମିତ ଅସ୍ଥାୟୀ ଜଳାଶୟରେ ମା’ଙ୍କ ମୃଣୟୀ ମୂର୍ତ୍ତିକୁ ବିସର୍ଜନ କରିବେ । ଯାହାଦ୍ୱାରା ନଦୀ,ପୋଖରୀ ଜଳ ଦୂଷିତ ହେବ ନାହିଁ । ଏସବୁ ନିୟମ ଉଲ୍ଲଙ୍ଘନ କଲେ ମୂର୍ତ୍ତୀ ନିର୍ମାତାଙ୍କ ରେଜିଷ୍ଟେସନ ଫି ଜବତ୍ ହେବା ସହ ୨ବର୍ଷ ପାଇଁ ମୂର୍ତ୍ତୀ ନିର୍ମାଣରୁ ବାସନ୍ଦ କରାଯିବ । ପୂଜା କମିଟି ନିୟମ ଉଲ୍ଲଘଂନ କଲେ ସେମାନଙ୍କ ଠାରୁ ପୌର କର୍ତ୍ତୃପକ୍ଷ ଜୋରିମାନା ଆଦାୟ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ପୂଜା ସମାପ୍ତ ହେବାର ୧୫ଦିନ ମଧ୍ୟରେ ପ୍ରଦୂଷଣମୁକ୍ତ ପୂଜାସ୍ଥଳ ପାଇଁ ନିଆଯାଇଥିବା ପଦକ୍ଷେପର ଫଟୋ ଆଂଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାର୍ବଣ ଋତୁରେ ଦୂର୍ଗାପୂଜା,ଗଜଲକ୍ଷ୍ମୀ ପୂଜା ଏବଂ କାଳୀପୂଜା ପାଳନ ବେଳେ ହାଇକୋର୍ଟ ଙ୍କ ଦ୍ୱାରା କରାଯାଇଥିବା ଏହି ସବୁ ଗାଇଡଲାଇନ ଗୁଡିକ ଅନୁସରଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଡା ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ପୂଜା ପାଳନ,ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭସାଣି ସମୟରେ ଏହି ନିୟମକୁ କଡାକଡି ପାଳନ କରିବେ । ଆସନ୍ତା ଦୂର୍ଗାପୂଜାକୁ ପ୍ରଦୂଷଣ ମୁକ୍ତ ଓ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି । ପୋଲିସ ର ବିନା ଅନୁମତିରେ ଡାକବାଜି ଯନ୍ତ୍ର ବଜାଇବା,ଦୁର୍ଗାପୂଜା ମଣ୍ଡପଠାରେ କୌଣସି ସ୍ଥାୟୀ ନିର୍ମାଣ କରିବା,ଅଗ୍ନିକାଣ୍ଡ ଘଟାଇବା ଭଳି କୌଣସି ଜ୍ୱଳନଶୀଳ ସାମଗ୍ରୀ ଯଥା-ଧୂପ,ଦୀପ ଇତ୍ୟାଦିକୁ ଅଣଦେଖା କରିବା,ଚିହ୍ନିତ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିବା ଠାରୁ ଦୂରେଇ ରହିବାକୁ ମାର୍ଗଦର୍ଶିକା ଜାରି ହୋଇଥିବା ଜଣାପଡିଛି । ସେହିପରି ମଣ୍ଡପ ନିକଟରେ ଟ୍ରାଫିକ ସମସ୍ୟା ସୃଷ୍ଟି ନହେବା ପାଇଁ ପୂଜା କମିଟି ସଦସ୍ୟ ଆଖପାଖରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ବ୍ୟବସ୍ଥା କରିବାକୁ କୁହାଯାଇଛି ।


