ଗଞ୍ଜାମ ଚାମ୍ବର ଅଫ କମର୍ସର ଜିଲ୍ଲାସ୍ତରୀୟ ସମ୍ମିଳନୀ
ବୁଗୁଡା, (ଅନୀଲ କୁମାର ମହାରଣା): ଗତ ୧୭/୧୦/୨୦୨୫ ତାରିଖ ଦିନ ଗଞ୍ଜାମ ଚେମ୍ୱର ଅଫ କମର୍ସ ସଭାପତି ଇ. ଶିବ ପ୍ରସାଦ ରାଓ ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସାନ ବଜାର ସ୍ଥିତ ଜିସିସି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଚେମ୍ବର ଅଫ କମର୍ସ ସଭାପତି ଚି. ରବୀନ୍ଦ୍ରନାଥ ଓ ଜିସିସି ପୂର୍ବତନ ସଭାପତି କେ. ଶିବ ପ୍ରସାଦ ରାଓ ଏବଂ ସମସ୍ତ ଜିସିସି କମିଟି ମେମ୍ବର ବୃନ୍ଦ, ନିମନ୍ତ୍ରିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ୟବସାୟୀ ସଂଘ ର ସଭାପତି ଓ ସମ୍ପାଦକ ବୃନ୍ଦଙ୍କ ଦ୍ଵାରା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବନ୍ଦନା କରିବା ପରେ ଜାତୀୟ ସଙ୍ଗୀତ ଗାନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଜିସିସି ସଭାପତି ଶ୍ରୀ ରାଓ ଏବଂ ସମ୍ପାଦକ ଭି ସନ୍ତୋଷ କୁମାର ଗଞ୍ଜାମ ଜିଲ୍ଲାର ସମସ୍ତ ଜୋନରୁ ଆସିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ। ସମଗ୍ର ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ଥିବା ସମସ୍ତ ବ୍ୟବସାୟୀ ସଂଘ ସହିତ ଗଞ୍ଜାମ ଚେମ୍ବର୍ ଅଫ କମର୍ସ ର ସୁସମ୍ପର୍କ ସ୍ଥାପନ କରିବା ସଭାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିସିସି ସଭାପତି ଓ ସମ୍ପାଦକ ପ୍ରକାଶ କରିଥିଲେ। ଏହା ଦ୍ଵାରା ସମସ୍ତେ ଗୋଟିଏ ଛାତ ତଳେ ଗୋଟିଏ ଉପବିଧି ଓ ନିୟମାବଳୀ ଅନୁସରଣ କରି ମିଳିତ ଭାବରେ କାମ କଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ ସମସ୍ତ ବାଣିଜ୍ୟ କରର ଲାଭ ଉଠାଇ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବା। ଏକ ଶୃଙ୍ଖଳିତ ଓ ସମୃଦ୍ଧଶାଳୀ ସଂଘ ଏକ ମଜବୁତ୍ ସମାଜ ଓ ବିକଶିତ ଦେଶ ଗଠନ ପାଇଁ ନିହାତି ଆବଶ୍ୟକ ବୋଲି ଉକ୍ତ ସଭାରେ ଅନୁଭବ କରାଯାଇଥିଲା। ସଂଯୋଜକ ଇଂ ପ୍ରଶାନ୍ତ ପାତ୍ର ସମସ୍ତ ବ୍ୟବସାୟୀ ସଂଘ ଜିସିସି ସହିତ ହାତ ମିଳାଇ ଏକ ବିକଶିତ ଦେଶ ଗଠନରେ ସହଯୋଗ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ। ପ୍ରତ୍ୟେକ କମିଟି କିପରି ନିଜ ନିଜ ବ୍ୟବସାୟୀ ସଂଘ ର ଶୃଙ୍ଖଳିତ ନେତୃତ୍ବ ନେବେ ଏହା ଉପରେ ସେ ବିସ୍ତୃତ ଭାବରେ ଉଦାହରଣ ଦେଇ ନୈତିକତାର ସହିତ କିପରି ଏକ ସଫଳ ବ୍ୟକ୍ତିତ୍ଵ ହାସଲ କରିବେ ତାରି ଉପରେ ଗୁରୁତ୍ବ ଦେଇଥିଲେ। ସମଗ୍ର ଗଞ୍ଜାମ ଜିଲ୍ଲାରେ ରକ୍ତ ଦାନ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ରୋପଣ ଭଳି ମହତ୍ କାର୍ଯ୍ୟ କରିବା ପାଇଁ କେଣ୍ଡଲ୍ ଜଳାଇ ସମସ୍ତେ ସଂକଳ୍ପ ନେଇଥିଲେ l ବାଲିପଦର ବ୍ୟବସାୟୀ ସଙ୍ଗଠନର ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ଜିସିସି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତଙ୍କୁ ଗୋଟିଏ ଉପବିଧି ଅନୁସରଣ କରି ଏକତ୍ରିତ ହୋଇ ନିଜ ବ୍ୟବସାୟର ଉନ୍ନତିକରଣ କରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସ୍ବପ୍ନ “ବିକଶିତ ଭାରତ” ଗଠନ କରିବା ପାଇଁ ଆହ୍ବାନ କରିଥିଲେ। ଶେଷରେ ସଂଘର ବରିଷ୍ଠ ସଦସ୍ୟ କମଳକାନ୍ତ ମିଶ୍ର ଓ ଅରୁଣ ପାତ୍ର ସମଗ୍ର ଗଞ୍ଜାମ ଜିଲ୍ଲାର ପାଞ୍ଚଟି ଜୋନ ବ୍ରହ୍ମପୁର, ଭଞ୍ଜନଗର, ଆସିକା, ପୁରୁଷୋତ୍ତମପୁର ଓ ରମ୍ଭା ରୁ ଆସିଥିବା ସମସ୍ତ ଛୋଟ ବଡ଼ ବ୍ୟବସାୟୀ ସଂଘ ର ସଭାପତି ସମ୍ପାଦକ ଓ ଅନ୍ୟାନ୍ୟ କମିଟି ସଦସ୍ୟ ତଥା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିସିସି ସଭାପତି ଇ ଶିବ ପ୍ରସାଦ ରାଓ ଅନୁଷ୍ଠିତ ସମ୍ମିଳନୀ ଏକ ଶୃଙ୍ଖଳିତ ଓ ଆନନ୍ଦ ଦାୟକ ପରିବେଶ ଭିତରେ ସଫଳତାର ସହିତ ପରିସମାପ୍ତି ହୋଇଥିବାରୁ ପୁନଃ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିବା ବିଷୟ ବୁଗୁଡା ବ୍ଳକର ବାଲିପଦର ବ୍ୟବସାୟୀ ସଂଗଠନର ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ପ୍ରକାଶ କରିଛନ୍ତି।