ମୁକୁଳା ଡ୍ରେନରେ ପଡ଼ି କଲେଜ ଛାତ୍ରୀ ଆହତ

କୋରାପୁଟ,  (ହେମନ୍ତ ପାଣିଗ୍ରାହୀ) : ଲଘୁଚାପଜନିତ ଲଗାଣ ବର୍ଷା ଯେଉଁଠି ଲୋକଙ୍କ ସାଧାରଣ ଜୀବନଯାତ୍ରାକୁ ବ୍ୟାହତ କରିଛି, ସେଠାରେ ଅବହେଳାର ଶିକାର ଏକ ମୁକୁଳା ଡ୍ରେନ ଜଣେ କଲେଜ ଛାତ୍ରୀଙ୍କ ପାଇଁ ବିପଦର କାରଣ ପାଲଟିଛି। ବର୍ଷା ପାଣିରେ ଢାଙ୍କି ହୋଇ ରହିଥିବା ଡ୍ରେନକୁ ଚିହ୍ନି ନପାରି ଛାତ୍ରୀଜଣକ ତାହା ମଧ୍ୟରେ ପଡ଼ି ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ସ୍ଥାନୀୟ କିଛି ଯୁବକଙ୍କ ତତ୍ପରତା ଯୋଗୁଁ ସେ ତୁରନ୍ତ ଉଦ୍ଧାର ପାଇଥିଲେ। ଗତ ତିନି ଦିନ ଧରି ଲକ୍ଷ୍ମୀପୁର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଅନବରତ ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହେବା ସହ ଡ୍ରେନଗୁଡ଼ିକ ମଧ୍ୟ ପାଣିରେ ଭର୍ତ୍ତି ହୋଇପଡ଼ିଛି। ଏହି ପରିସ୍ଥିତିରେ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ-୩୨୬ କଡ଼ରେ ଥିବା ଏକ ମୁକୁଳା ଡ୍ରେନ ବିପଦର ଫାନ୍ଦ ପାଲଟିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଆଦିବାସୀ ସାହିରୁ ଜଣେ ଛାତ୍ରୀ କଲେଜ ଅଭିମୁଖେ ଯାଉଥିବାବେଳେ ଆଇବି ନିକଟରେ ଥିବା ଡ୍ରେନରେ ପଡ଼ିଯାଇଥିଲେ। ଡ୍ରେନଟି ବର୍ଷା ପାଣିରେ ପୂର୍ଣ୍ଣ ହୋଇଥିବାରୁ ଏହାର ଗଭୀରତା କିମ୍ବା ସୀମା ସ୍ପଷ୍ଟ ଦେଖାଯାଉନଥିଲା। ଫଳରେ ଅସାବଧାନତାବଶତଃ ସେ ଡ୍ରେନ ମଧ୍ୟକୁ ଖସିପଡ଼ିଥିଲେ। ସେହି ସମୟରେ ପ୍ରବଳ ବର୍ଷା ସତ୍ତ୍ୱେ ବିଜୁ ସ୍ୱାଭିମାନ ମଞ୍ଚର କର୍ମକର୍ତ୍ତା ପ୍ରସନ ଖୋସଲାଙ୍କ ସମେତ କିଛି ସହଯୋଗୀ ରାସ୍ତା ଉପରେ ଜମିଥିବା ଆବର୍ଜନା ସଫା କରୁଥିଲେ। ସେମାନଙ୍କ ନଜର ଛାତ୍ରୀଙ୍କ ଉପରେ ପଡ଼ିବା ପରେ ତୁରନ୍ତ ତାଙ୍କୁ ଡ୍ରେନରୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାରେ ଛାତ୍ରୀଙ୍କ ଗୋଡ଼ରେ ଆଘାତ ଲାଗିଥିବାବେଳେ କଲେଜ ବ୍ୟାଗ, ବହିପତ୍ର ଓ ପରିଧାନ କରିଥିବା ପୋଷାକ ପାଣିରେ ଭିଜି ନଷ୍ଟ ହୋଇଯାଇଥିଲା। ଆହତ ହେବା ପରେ ସେ କଲେଜ ଯାତ୍ରା ବାତିଲ କରି ଘରକୁ ଫେରିଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ରାୟଗଡ଼ା ଓ କୋରାପୁଟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୩୨୬ର ଲକ୍ଷ୍ମୀପୁର ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଏଭଳି ମୁକୁଳା ଡ୍ରେନ ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଡ୍ରେନଗୁଡ଼ିକର ନିୟମିତ ସଫେଇ ଅଭାବରୁ ଆବର୍ଜନା ଜମି ରହୁଛି। ପ୍ରବଳ ବର୍ଷା ହେଲେ ଡ୍ରେନର ପାଣି ସହ ଆବର୍ଜନା ରାସ୍ତା ଉପରକୁ ଉଠି ଆସୁଛି। ଫଳରେ ପଥଚାରୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏବଂ ଯାନବାହନ ଚାଳକମାନେ ପ୍ରତିଦିନ ବିପଦ ସାମ୍ନା କରୁଛନ୍ତି।
ଜଣେ ଛାତ୍ରୀ ଆହତ ହେବା ଘଟଣା କେବଳ ଏକ ସାଧାରଣ ଦୁର୍ଘଟଣା ନୁହେଁ; ଏହା ଦୀର୍ଘଦିନର ଅବହେଳାର ଏକ ସତର୍କ ସଙ୍କେତ। ଆଜି ଜଣେ ଛାତ୍ରୀ ଆହତ ହୋଇଛନ୍ତି, କାଲି ଯଦି ଏହି ମୁକୁଳା ଡ୍ରେନରେ ଆଉ କେହି ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ତାହାର ଉତ୍ତରଦାୟିତ୍ୱ କିଏ ନେବ—ଏବେ ସେହି ପ୍ରଶ୍ନ ସାଧାରଣ ଜନତାଙ୍କ ମଧ୍ୟରେ ଉଠିଛି। ତୁରନ୍ତ ମୁକୁଳା ଡ୍ରେନଗୁଡ଼ିକୁ ଢାଙ୍କିବା, ନିୟମିତ ସଫେଇ କରିବା ଏବଂ ବର୍ଷା ଋତୁରେ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ସତର୍କ ସୂଚନା ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ