କଟକରେ ସାଂସଦ ଖେଳ ମହୋତ୍ସବ ଶୁଭାରମ୍ଭ

କଟକ (ଓ୍ବାଇଏନଏସ) : ବିକଶିତ ଭାରତ ଗଠନ ପାଇଁ ସୁସ୍ଥ ରହିବେ ଯୁବବର୍ଗ, ଏହି ଉଦ୍ଦେଶ୍ୟ ନେଇ ସମଗ୍ର ଦେଶରେ ସାଂସଦ ଖେଳ ମହୋତ୍ସବ ଆୟୋଜନ କରାଯାଇଥିବା ବେଳେ ଆଜି କଟକରେ ମୁଖ୍ୟ ଅତିଥଭାବେ ସାଂସଦ ଶ୍ରୀ ଭତୃହରି ମହତାବ ଯୋଗଦେଇ ଏହି ସାଂସଦ ଖେଳ ମହୋତ୍ସବର ଶୁଭାରମ୍ଭ କରିଛନ୍ତି।ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ଖେଳ ପଡ଼ିଆରେ ସମସ୍ତ ପ୍ରସ୍ତୁତି ସହ ଆୟୋଜନ କରାଯାଇ ଆଜି ଏହାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ,ଉନ୍ନୟନ ଶ୍ରୀମତି ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଶୁଭାରମ୍ଭ କାର୍ଯ୍ଯ ଅନୁଷ୍ଠିତ ହୋଇଥିଲା।ସାଂସଦ ଖେଳ ମହୋତ୍ସବରେ ପାରମ୍ପାରିକ କ୍ରୀଡାରେ ଭାଗ ନେବା ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କ୍ରୀଡାବିତ ମାନେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଛନ୍ତି। ପିଲାମାନଙ୍କୁ ଖେଳ ପ୍ରତି ଆକର୍ଷିତ କରାଇବା ସହ ସମସ୍ତଙ୍କ ମଧ୍ୟରେ ଏକ ଖେଳୁଆଡ ମନୋଭାବ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏଥିରେ କ୍ରିକେଟ, ଭଲି, ଫୁଟବଲ, ଖୋଖୋ, କବାଡି, ମାରାଥନ ଓ ପାରମ୍ପରିକ ଖେଳ ସ୍ଥାନ ପାଇଛି ବୋଲି ସାଂସଦ ଶ୍ରୀ ମହତାବ ଏହି ଶୁଭାରମ୍ଭ ଅବସରରେ କହିଛନ୍ତି। ୧୭ ବର୍ଷରୁ କମ ବାଳକ ଓ ବାଳିକା, ୨୫ ବର୍ଷରୁ କମ ମହିଳା ଓ ପୁରୁଷ ଏବଂ ୨୫ ବର୍ଷରୁ ଅଧିକ ମହିଳା ଓ ପୁରୁଷ ଭଳି ବିଭିନ୍ନ ବର୍ଗରେ କ୍ରୀଡ଼ାବିତମାନେ ନିଜ ନିଜର ନାମ ପଞ୍ଜିକୃତ କରିଛନ୍ତି। ପ୍ରତିଯୋଗିତା ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇ ମଣ୍ଡଳ ତଥା ବ୍ଲକ ଓ ଶେଷରେ ସଂସଦୀୟ କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହୋଇଛି। ପ୍ରକାଶ ଥାଉକି କଟକରେ ଏହି ଖେଳ ମହୋତ୍ସବ ପାଇଁ ୧୯୫୦୦ଜଣ ପଞ୍ଜୀକରଣ କରିଛନ୍ତି ଏବଂ ଏହି ମହୋତ୍ସବ ଡିସେମ୍ବର ୨୫ ତାରିଖ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଆଜିର ଏହି ଶୁଭାରମ୍ଭ ଅବସରରେ ସମ୍ମାନିତ ଅତିଥିଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବଡ଼ମ୍ବା ବିଧାୟକ,ଶ୍ରୀ ବିଜୟ କୁମାର ଦଳବେହେରା, ଖଣ୍ଡପଡ଼ା ବିଧାୟକ,ଶ୍ରୀ ଦୁଷ୍ମନ୍ତ ସ୍ଵାଇଁ, ବରିଷ୍ଠ ସମାଜସେବୀ ଶ୍ରୀ ନୟନ କିଶୋର ମହାନ୍ତି, ଉଭୟ ଭାଜପା ଜିଲ୍ଲା ସଭାପତି ଶ୍ରୀ ରାମ ନାରାୟଣ ମହାନ୍ତି ଓ ସୁକାନ୍ତ ବିଶ୍ଵାଳ, ସ୍ଥାନୀୟ କର୍ପୋରେଟର,ଶ୍ରୀ ତୁଷାରକାନ୍ତି ଚକ୍ରବର୍ତ୍ତୀ, ଶ୍ରୀ ଅଭୟ ବାରିକ୍,ଶ୍ରୀ ଲଲାଟେନ୍ଦୁ ବଡୁ ପ୍ରମୁଖଙ୍କ ସମେତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ