ମୁମ୍ବାଇ ରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ଦାଦନ ଶ୍ରମିକ ରାଜେନ୍ଦ୍ର ବେହେରା(୩୭) ମହାରାଷ୍ଟ୍ର ର ମୁମ୍ବାଇ ସାମ୍ବାଜି ଷ୍ଟେସନ ର ଟ୍ରେନ ଲାଇନ ରେ କଟି ମୃତ୍ୟୁବରଣ କରିଛନ୍ତି।ସୋମବାର ସନ୍ଧ୍ୟା ପ୍ରାୟ ୭ ଟାରେ ସ୍ଵତନ୍ତ୍ର ଆମ୍ବୁଲାନ୍ସ ରେ ଗାଁ ରେ ଶବ ପହଞ୍ଚିଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗ୍ରାମର ଚେରୁ ବେହେରା ଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ମହାରାଷ୍ଟ୍ର ମୁମ୍ବାଇ ରେ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଅନ୍ୟ ୨ ଜଣଙ୍କ ସହ ଘରୁ ବାହାରିଥିଲେ। ରବିବାର ସକାଳେ ସେ ମୁମ୍ବାଇ ର ସାମ୍ବାଜୀ ରେଳ ଷ୍ଟେସନ ରେ ପହଞ୍ଚିଥିଲେ।ଅନ୍ୟ ୨ ସାଙ୍ଗ ଓହ୍ଲାଇ ପଡୁଥିବା ଦେଖି ସେ ଲଗେଜ ଧରି ଓହ୍ଲାଇବା ବେଳେ ଟ୍ରେନ ଛାଡି ଦେଇଥିଲା। ଫଳରେ ଅସାବଧାନତା କାରଣରୁ ଟ୍ରେନ ଲାଇନ ରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ।ରେଳବାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲେ।ଏନେଇ ପରିବାର ଲୋକଙ୍କୁ ସୂଚନା ମିଳିବାପରେ ସେମାନେ ସ୍ଥାନୀୟ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଙ୍କୁ ଜଣାଇଥିଲେ।ସରପଞ୍ଚ ଏନେଇ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ସେଠାକାର ପ୍ରଶାସନ ଓ ରେଳବାଇ ପୋଲିସ ଅଧିକାରୀ ଙ୍କ ସହ ଫୋନ ରେ କଥା ହୋଇ ରାଜେନ୍ଦ୍ର ଙ୍କ ଶବ ଗାଁ କୁ ପଠାଇବାକୁ ଅନୁରୋଧ କରିଥିଲେ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ରେଡକ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ସରପଞ୍ଚ ଙ୍କ ଉଦ୍ୟମକ୍ରମେ ପଞ୍ଚାୟତରେ ଗଠନ କରାଯାଇଥିବା ସରପଞ୍ଚ ରିଲିଫ ଫଣ୍ଡ ରୁ ୨୬ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନା ରୁ ୩ ହଜାର ଟଙ୍କା ସରପଞ୍ଚ ପ୍ରଦାନ କରିଥିବା ଜଣାଇଛନ୍ତି।ରାଜେନ୍ଦ୍ର ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ତ୍ରୀ ଓ ପୁଅ ଝିଅ ଅଛନ୍ତି। ପଞ୍ଚାୟତ ଟିବି ମୁକ୍ତ ଯୋଜନାରେ ତାଙ୍କୁ ମାଗଣାରେ ଔଷଧ ଦିଆଯାଇଥିଲା। ସେ ପରିବାର ପରିପୋଷଣ ପାଇଁ ସୁଦୂର ମୁମ୍ବାଇ ଯାଇଥିବା ବେଳେ ଏଭଳି ଅଘଟଣ ର ଶିକାର ହୋଇଥିବା ରୁ ସରପଞ୍ଚ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।


