ଭରତପୁରରେ ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ବଟପଡିଆରେ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ୬ନମ୍ବର ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦାଘାଟନୀ ଉତ୍ସବରେ ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସହ ସଂଯୋଜକ ଅମିତାଭ ସୁଆର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ଥିବା ସାଂସଦଙ୍କ ପ୍ରତିନିଧି ଉପୀନ କୁମାର ରାଉତ, ବିଶିଷ୍ଟ ଶିକ୍ଷାବୀତ ତଥା ବାସ୍ତୁ ଶାସ୍ତ୍ରବୀତ ନାରାୟଣ ଚନ୍ଦ୍ର ପତି, ଅବସରପ୍ରାପ୍ତ ସମବାୟ ବିଭାଗ ନିର୍ଦ୍ଦେଶକ ସୁରଥ କୁମାର ସେଠୀ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସାଂସଦ ଖେଳ ମହୋତ୍ସବ ବ୍ଲକ ସହ ସଂଯୋଜକ ବନ୍ଦନାରାଣୀ ରାଉତରାୟ ଓ ସମାଜସେବୀ ବାବାଜୀ ଚରଣ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଆହ୍ୱାନରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆୟୋଜିତ ସାଂସଦ ଖେଳ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଭାରତର ଯୁବଶକ୍ତିକୁ କିପରି ସୁସ୍ଥ ଓ ଫିଟ୍ କରାଯାଇପାରିବ ସେ ସମ୍ପର୍କରେ ଅଭିମତ ରଖିଥିଲେ। ଏହି ଖେଳ ମହୋତ୍ସବରେ ୬ଟି ଗ୍ରାମପଞ୍ଚାୟତ ଅଧିନ ୧୮ଟି ବିଦ୍ୟାଳୟର ଏକହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି। ଦୁଇଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡା ମହୋତ୍ସବରେ ଏକଶହ ମିଟର ରେସ, ୪ଶହ ମିଟର ରେସ, ଲଙ୍ଗ ଜମ୍ପ, ହାଇ ଜମ୍ପ, ରିଲେ ରେସ, ସଟ ପୁଟ୍, କବାଡି, ଭଲିବଲ ପ୍ରଭୃତି ଖେଳ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ରୀଡା ନୈପୂଣ୍ୟତା ପ୍ରଦର୍ଶନ କରିଛନ୍ତି। ଏହି ମହୋତ୍ସବକୁ ଅଂଶଗ୍ରହଣକାରୀ ବିଦ୍ୟାଳୟ ଗୁଡିକର କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଜୋନ ସଂଯୋଜକ ରଶ୍ମୀରଞ୍ଜନ ରାଉତ, ଅନିଲ କୁମାର ସ୍ୱାଇଁ, ପଙ୍କଜ ଦାସ, ସ୍ୱାଧୀନ ମହାପାତ୍ର, କ୍ଷୀରୋଦ କୁମାର ଭୋଳ, ଶୁଭମ ବେହେରା, ମଦନମୋହନ ବେହେରା, ସୁମନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିଲେ।


