ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ ତରଫରୁ ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ ସମ୍ବନ୍ଧୀୟ ଆଧ୍ୟାତ୍ମିକ ପ୍ରବଚନ ଆୟୋଜିତ

ବ୍ରହ୍ମପୁର,(ୱାଇଏନଏସ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତିକୁଣ୍ଡ, ଗିରିରୋଡ, ସେବାକେନ୍ଦ୍ର ତରଫରୁ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତଃରାଷ୍ଟ୍ରୀୟ ପ୍ରେରଣାଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା, ରାଜଯୋଗିନୀ ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ପ୍ରଥମ ଥର ବ୍ରହ୍ମପୁର ପଦାର୍ପଣ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ”ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ” ଗତକାଲି ସନ୍ଧ୍ୟା 6 ଘଟିକା ସମୟରେ ସ୍ଥାନୀୟ ସ୍ବୟଂଶାସିତ ଖଲ୍ଲିକୋଟ କଲେଜ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଅଛି । ରାଜ୍ୟ ପରିବହନ, ବାଣିଜ୍ୟ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଭ୍ରାତା ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ତଥା ସହରର ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଗଣଙ୍କ ସହ ଭଗିନୀ ଶିବାନୀ ଉକ୍ତ ପ୍ରବଚନ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ବଳନ ଦ୍ବାରା ଉଦଘାଟନ କରିବା ସହ ନିଜ ପ୍ରେରଣାଦାୟକ ବକ୍ତବ୍ୟରେ କହିଥିଲେ ଯେ ଭାବନାତ୍ମକ ବ୍ୟକ୍ତିତ୍ବ ସମ୍ପନ୍ନ ମାନସିକତା ଏକ ପ୍ରକାର ବ୍ୟବହାର ଯାହା କୌଣସି ବ୍ୟକ୍ତି ବିଶେଷର ସକାରାତ୍ମକ, ଭାବନାତ୍ମକ ଦୃଷ୍ଟିକୋଣକୁ ପରିପ୍ରକାଶ କରିଥାଏ ଯାହାକି ଆତ୍ମ ଜାଗୃତି ଦ୍ବାରା ସମ୍ଭବ ହୋଇପାରେ । ଏହା ନିଜର ସ୍ବ ଅନୁଭବ, ଭାବ ପ୍ରବଣତା ତଥା ମନୋବଳକୁ ମଧ୍ୟ ଦର୍ଶାଇଥାଏ । ଯାହା ଅନ୍ୟଙ୍କ ଜୀବନରେ ଆଶା ଆକାଂକ୍ଷା ପୂର୍ଣ୍ଣ କରିବା ସକାଶେ କ୍ଷମତା ପ୍ରଦାନ କରେ । ତଦବ୍ୟତୀତ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ଏହା କୌଣସି ବ୍ୟକ୍ତିର ଭାବନାକୁ ହୃଦୟଙ୍ଗମ କରି ତା’ ସହିତ ଅନୁରୂପ କାର୍ଯ୍ୟ ବ୍ୟବହାରରେ ଆସିବା ସକାଶେ ସହାୟକ ହୋଇଥାଏ । କାରଣ ଭାବନା ଆମର ବିଚାରକୁ ନିର୍ଦ୍ଧାରିତ କରେ ଏବଂ ବିଚାର ବ୍ୟକ୍ତିତ୍ବକୁ ବିକାଶିତ କରେ । ବର୍ତ୍ତମାନର ଆଧୁନିକ ଜଗତରେ ପ୍ରତ୍ୟେକ ବ୍ୟକ୍ତି ଯେକୌଣସି କାର୍ଯ୍ୟ ସମ୍ପାଦନ ସମୟରେ ଚାପ, ଆର୍ଥିକ ସମସ୍ୟା, ସକାରାତ୍ମକ ସମ୍ବନ୍ଧକୁ ବଜାୟ ରଖିବା ସହ ନିଜ ପ୍ରତ୍ୟେକ ଆବଶ୍ୟକତାକୁ ପୂର୍ଣ୍ଣ କରିବା ସକାଶେ ମାନସିକ ପରିଶ୍ରମ କରିଥାଏ, ଯଦ୍ବାରା ସେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଏ । ତେଣୁ ଜୀବନର ଉଦ୍ଦେଶ୍ୟ, ସହାନୁଭୂତି, ଦୟା, ଏକାଗ୍ରତା, ସାମାଜିକ ଦାୟିତ୍ବବୋଧ, ନିଜ ଭୁଲକୁ ସ୍ବୀକାର କରିବା ସହ ଅନ୍ୟକୁ ସମ୍ମାନ ଓ ସହଯୋଗ ପ୍ରଦାନ କରିବାର ମାନସିକତା ଦ୍ବାରା ଆମେ ଏକ ସକାରାତ୍ମକ, ଭାବନାତ୍ମକ ବ୍ୟକ୍ତିତ୍ବର ଅଧିକାରୀ ହୋଇପାରିବା । ଏହାଦ୍ବାରା ପ୍ରତ୍ୟେକ ଘରେ ସୁଖ, ଶାନ୍ତି, ପବିତ୍ରତାର ସ୍ବର୍ଗୀୟ ବାତାବରଣ ସଞ୍ଚାର ହେବ, ଯାହାକି ଦେଶକୁ ତଥା ବିଶ୍ବକୁ ସ୍ବର୍ଣ୍ଣିମ ଦୁନିଆରେ ପରିବର୍ତ୍ତନ କରିପାରିବ । ଏଥିସକାଶେ ଆମର ଦୈନନ୍ଦିନ କାର୍ଯ୍ୟକ୍ରମରେ ରାତିରେ ଶଯ୍ୟାକୁ ଯିବା ପୂର୍ବରୁ ଏବଂ ସକାଳେ ଉଠିବାର କିଛି ସମୟ ସକାରାତ୍ମକ ଭାବେ ”ମୁଁ ଆତ୍ମା ଶାନ୍ତି, ପ୍ରେମ, ଆନନ୍ଦ, ଦୟା, କରୁଣା, ସହାନୁଭୂତି ଏବଂ ଶକ୍ତି ଆଦି ଗୁଣର ସମାହାର ଅଟେ ଏହା ଚିନ୍ତନ କରିବା ଆବଶ୍ୟକ । ଉକ୍ତ ଦିନ ପୂର୍ବାହ୍ନ 10 ଘଟିକା ସମୟରେ ବ୍ରହ୍ମାକୁମାରୀ ପରିବାରର ପ୍ରାୟ 8000 ସଦସ୍ୟଙ୍କ ସକାଶେ ଭଗିନୀ ଶିବାନୀଙ୍କ ଦ୍ବାରା ସାଙ୍ଗଠନିକ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଗିନୀ ଶିବାନୀ ଯୋଗଦେଇ ବିଭିନ୍ନ ଦୃଷ୍ଟାନ୍ତ ଏବଂ ଉଦାହରଣ ମାଧ୍ୟମରେ ପ୍ରତ୍ୟେକଙ୍କୁ ସତ୍ୟଯୁଗ ସ୍ଥାପନାରେ ସହାୟକା ହେବା ସକାଶେ ପ୍ରେରଣା ପ୍ରଦାନ କରିଥିଲେ । ବର୍ତ୍ତମାନର ଆଧୁନିକ ସମାଜରେ ଦିନକୁ ଦିନ କଳୁଷିତ, ନକାରାତ୍ମକ ବିକାରଯୁକ୍ତ କାର୍ଯ୍ୟକଳାପ ବୃଦ୍ଧି ପ୍ରାପ୍ତ କରୁଛି । ଏହାଦ୍ୱାରା ଘରେ-ଘରେ ଅଶାନ୍ତି, କଳହ, ବିଶୃଙ୍ଖଳା ଆଦି ବୃଦ୍ଧି ପାଉଛି। ଏଣୁ ଆମେ ସମସ୍ତେ ସ୍ବ-ସଶକ୍ତିକରଣ ସହ ଦୃଢ଼ ମନୋଭାବ ସମ୍ପନ୍ନ ହୋଇ ସତ୍ କର୍ମରେ ରହି ଅନ୍ୟମାନଙ୍କୁ ଅନୁରୂପ ପ୍ରଭାବିତ କରିବା ଦ୍ବାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥି ପୂର୍ବରୁ ବଲିଉଡ ପ୍ଲେ ବ୍ୟାକ ସିଙ୍ଗର ହରିଶ ମୋୟାଲ ଏବଂ ଓଡ଼ିଆ କଣ୍ଠ ଶିଳ୍ପୀ ଭଗିନୀ ବର୍ଣ୍ଣାଳୀ ହୋତାଙ୍କ ଦିବ୍ୟ ସଙ୍ଗୀତମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଦ୍ବାରା ପ୍ରତ୍ୟେକ ଆତ୍ମା ସ୍ବ ଅନୁଭୂତି ତଥା ପରମାତ୍ମ ଅନୁଭତି କରି କୃତକୃତ୍ୟ ହୋଇଥିଲେ । ବ୍ରହ୍ମପୁର ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ଶିବାନୀ ଦିଦିଙ୍କୁ ଦିବ୍ୟ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ସମ୍ପର୍କରେ ବର୍ଣ୍ଣନା କରି ତାଙ୍କୁ ସ୍ବାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋଳାବନ୍ଧ ଆର୍ମି ଏଡି କଲେଜର ଏଲଟି. ଜେନେରାଲ ଭ୍ରାତା ଆର୍. ସି. ଶ୍ରୀକାନ୍ତ, ଅଚମିନା ଶ୍ରୀକାନ୍ତ , ରାଜଯୋଗୀ ବ୍ରହ୍ମାକୁମାର ଭ୍ରାତା ଡା. ବନାରଶୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ଭଗିନୀ ଗୀତାଞ୍ଜଳୀ ଦାଶ, ପ୍ରଫେସର ପ୍ରିୟଦର୍ଶନ ପାତ୍ର, କୁଳପତି ନିଷ୍ଟ, ଭ୍ରାତା ଅଜୟ ଗୁପ୍ତା ୟୁନିଟ ହେଡ ଗ୍ରାସୀମ, ଭ୍ରାତା ଜୟନ୍ତ ତ୍ରିପାଠୀ, ଟାଟା ଷ୍ଟିଲ ଫାଉଣ୍ଡେସନ, ଭ୍ରାତା ଦୀପକ ରାଓ, ଚେୟାରମ୍ୟାନ (ବି. ଏସ. ଇ. ଟି), ରାଜଯୋଗୀ ବ୍ରହ୍ମାକୁମାର ଶକ୍ତିରାଜ, ମାଉଣ୍ଟ ଆବୁ, ପ୍ରଫେସର ଡା. ସୁଚିତ୍ରା ଦାଶ, ଡିନ ଏମ. କେ. ସି. ଜି ମେଡିକାଲ କଲେଜ, ଭ୍ରାତା ମହେନ୍ଦ୍ର ମହନ୍ତ ୟୁନିଟ ହେଡ, ଟାଟା ଷ୍ଟିଲ ୱାର୍ଲଡ ଗ୍ରୀନ ଇନଭୋରମେଣ୍ଟ, ଭ୍ରାତା ଆର୍. କେ. ମହାନ୍ତି, ଟାଟା ଷ୍ଟିଲ, ପୂର୍ବତନ ବିଧାୟକ ଭ୍ରାତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବରିଷ୍ଠ ଭେଷଜ ତଥା ମଧୁମେହ ବିଶେଷଜ୍ଞ ଡା. ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତିଗଣ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ଭଗିନୀ ସଂଘମିତ୍ରା ସଞ୍ଚାଳନ କରିଥିଲେ । ବ୍ରହ୍ମାକୁମାରୀ ପ୍ରଭାତୀ, ଲକ୍ଷ୍ମୀ, ସୁଜାତା, ପ୍ରଶଂସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଧୁବନରୁ ଆସିଥିବା ବ୍ରହ୍ମାକୁମାର ଦୀପକ, ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡ ତରଫରୁ ବ୍ରହ୍ମାକୁମାର କୃଷ୍ଣ, ଅକ୍ଷୟ, ପ୍ରମୋଦ, ସୁରେଶ ଆଦି ଈଶ୍ବରୀୟ ସେବାଧାରୀ ରୂପେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ 5000ରୁ ଅଧିକ ଜନସାଧାରଣ ଅଶେଷ ଲାଭାନ୍ବିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ