ସର୍ପାଘାତରେ ଚାଷୀର ମୃତ୍ୟୁ : ପରିବାର ଲୋକଙ୍କୁ ଭେଟିଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ) :ହାଟଡିହି ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ମତାବାଜ ଗ୍ରାମରେ ସର୍ପାଘାତରେ ଜଣେ ଚାଷୀଙ୍କ ମୃତ୍ଯୁ ଘଟିଛି। ସୂଚନା ଅନୁଯାଇ ଗ୍ରାମର ଲଷ୍ମୀଧର ସ୍ୱାଇଁ (୪୦) ଆଜି ମଧ୍ୟାହ୍ନରେ ବିଲକୁ ପାଣି ମଡ଼ାଇ ବାକୁ ଯାଇଥିଲେ। ବିଲ ଭିତରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ସେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। କଣ ଗୋଟେ କାମୁଡି ଦେଲା ବୋଲି ଘରେ କହିଥିଲେ। ଖାଇ ପିଇ ସାରିବା ପରେ ଅସୁସ୍ଥ ହୋଇ ଚେତାଶୁନ୍ୟ ହୋଇ ପଡିବାରୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ସନ୍ଧ୍ୟାରେ ମୃତଦେହ ଗାଁ କୁ ଫେରିବା ପରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଅମରେନ୍ଦ୍ର ଧଳ, ଦୀପ୍ତି ରଞ୍ଜନ ଦାସ, ରତ୍ନାକର ବିଶ୍ୱାଳ, ନିରଞ୍ଜନ ମହାପାତ୍ର ପ୍ରମୁଖ ମତଵାଜ ଗ୍ରାମରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ଶନ୍ତପ୍ତ ପରିବାର ଲୋକଙ୍କୁ ଭେଟିଥିଲେ। ଉକ୍ତ ଚାଷୀ ପରିବାରକୁ କିପରି ସରକାରୀ ସହାୟତା ଯୋଗାଇ ଦିଆଯିବ ସେନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।


