ଗାଁ ଭିତରେ ଇଟା ଭାଟି: ଦୁଇଦିନ ଗାଁ ହୋଇଗଲା ଧୂଆଁମୟ
ହାଟଡିହି (ଓ୍ବାଇଏନଏସ): ସରକାର ମାଟି ଇଟା ତିଆରି ଯୋଗୁଁ ପରିବେଶ ପ୍ରଦ୍ୟୁଷିତ ହେଉଥିବାରୁ ଏହାକୁ ପ୍ରସ୍ତୁତି ଉପରେ ବାରଣ କରା ଯାଇଛି। ଏପରିକି ଫ୍ଲାଏ ଆସ ଇଟା ପ୍ରସ୍ତୁତି ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ସହିତ ଏହାର ବ୍ୟବହାର ପାଇଁ ସଚେତନତା ଶିବିର ମାନ ଆୟୋଜନ କରୁଛନ୍ତି। କିନ୍ତୁ ହାଟଡିହି ବ୍ଲକ ସମଣା ଅଞ୍ଚଳରେ ବେଆଇନ ଭାବେ ଶହ ଶହ ଇଟା ଭାଟି କରାଯାଇ ପରିବେଶ ଦୂଷିତ କରାଯାଉଛି। ପୂର୍ବରୁ ଗାଁ ଠାରୁ ଅନତି ଦୂରରେ ଏହି ଇଟା ଭାଟି ଚାଲୁଥିବା ବେଳେ ଗତ ଦୁଇଦିନ ତଳେ ସମଣା ଗ୍ରାମର ଜଣେ ବ୍ୟକ୍ତି ଗାଁ ଭିତରେ ଏକ ଇଟା ଭାଟି ପ୍ରସ୍ତୁତ କରି ପୋଡିବାରୁ ଦୁଇ ଦିନ ଧରି ସମଗ୍ର ଗାଁ ଟି ଧୂଆଁମୟ ହୋଇଯାଇଥିଲା। ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଇଟା ଭାଟି ପାଇଁ ତହସିଲ ପକ୍ଷରୁ ଅନୁମତି ନେବାକୁ ଥିବାବେଳେ ତାକୁ କେହି ମାନୁ ନାହାନ୍ତି। ଏପରିକି ଲକ୍ଷ ଲକ୍ଷ ଇଟା ପୋଡାଯାଉଥିବା ବେଳେ ସେମାନଙ୍କ ନିକଟରୁ ଅଳ୍ପ କିଛି ଜୋରିମାନା ଆଦାୟ କରି ଚୁପ ବସୁଛି ରାଜସ୍ବ ବିଭାଗ। ତହସିଲଦାର ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


