ଶୁଭଶ୍ରୀ ତନିମା ନାୟକଙ୍କୁ ପେନ୍ ଇନ୍ ଯୁବ ଲେଖକ ସମ୍ମାନ
ହାଟଡିହି (ଓ୍ବାଇଏନଏସ): ପେନ୍ ଇନ୍ “ଯୁବ ଲେଖକ ସମ୍ମାନ – ୨୦୨୫” ନିମନ୍ତେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅନ୍ତର୍ଗତ ନୂଆରମ୍ପାସ ଗ୍ରାମର ଅବସରପ୍ରାପ୍ତ ପ୍ରାଧ୍ୟାପକ ରବିନ୍ଦ୍ର କୁମାର ନାୟକ ଓ ଅବସର ପ୍ରାପ୍ତ ମହିଳା ପରିଦର୍ଶିକା କାଦମ୍ବିନୀ ଜେନାଙ୍କ କନ୍ୟା ଶୁଭଶ୍ରୀ ତନିମା ନାୟକଙ୍କ କବିତା ପାଣ୍ଡୁଲିପି ‘ଫୁଲ ଫୁଟିବାର ବେଳ’ ମନୋନୀତ ହୋଇଛି l ଏହି ପ୍ରତିଯୋଗିତା ପାଇଁ ରାଜ୍ୟର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ, ଭୁବନେଶ୍ବର ୪୦ ବର୍ଷରୁ କମ୍ ବୟସର ଲେଖକ ଲେଖିକାଙ୍କ ଅପ୍ରକାଶିତ ପାଣ୍ଡୁଲିପି ଆହ୍ବାନ କରିଥିଲେ l ଏଥିରେ ସଫଳ ହୋଇଥିବା ମୋଟ୍ ଦଶ ଜଣ ଲେଖକ ଲେଖିକାଙ୍କ ମଧ୍ୟରେ ଶୁଭଶ୍ରୀ ସ୍ଥାନ ପାଇଛନ୍ତି l ଡିସେମ୍ବର ୭ ତାରିଖ ଦିନ ଏକ ସ୍ୱତନ୍ତ୍ର ଉତ୍ସବରେ ଯୁବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଏହି ପୁରସ୍କାର ଘୋଷଣା ପରେ ଶୁଭଶ୍ରୀ ସାହିତ୍ୟକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି l ଆଗକୁ ଆହୁରି ଅନେକ କିଛି ଲେଖିବାକୁ ଇଛା ଅଛି ବୋଲି ମତ ଦେବା ସହ ଏହି ସଫଳତାର ଶ୍ରେୟ ସେ ନିଜର ପରିବାର ବର୍ଗ ଏବଂ ଶୁଭେଚ୍ଛୁମାନଙ୍କୁ ଦେଇଛନ୍ତି l ସୂଚନା ଥାଉକି ପୂର୍ବରୁ ତାଙ୍କର ଗୋଟିଏ କବିତା ସଂକଳନ ‘ବିନ୍ଦୁ ଏ ସ୍ୱପ୍ନର ଛାଇ’ ପ୍ରକାଶିତ ହୋଇଛି l ସେ ପୁର୍ବରୁ କଥା ନବପ୍ରତିଭା ପୁରସ୍କାର, ଗୀତିଝର ଓ ଉଦୟରାଗ ସମ୍ମାନରେ ସମ୍ମାନିତ ହୋଇଛନ୍ତି l


