କଂଗ୍ରେସ ପକ୍ଷରୁ ଆସିକାରେ ସମ୍ବିଧାନ ବଞ୍ଚାଅ ଦିବସ
ଆସିକା (ୱାଇଏନ୍ଏସ୍): ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ସମ୍ବିଧାନର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଓ ପ୍ରଦେଶ କଂଗ୍ରେସ କମିଟି (ପିସିସି) ର ପରାମର୍ଶକ୍ରମେ ସ୍ଥାନୀୟ ଟାଉନ୍ହଲ୍ ପରିସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ଏକ ବିଶାଳ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ର ସଭାପତି ତଥା ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ଜେନା, ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ଶର୍ମା, ଆସିକା ପ୍ରେସକ୍ଳବର ସଭାପତି ସତ୍ୟନାରାୟଣ ରଥ, ସମାଜସେବୀ ତଥା ସୁସଂଗଠକ ଗଙ୍ଗାଧର ଶତପଥୀ, ଅବସରପ୍ରାପ୍ତ ଶିକ୍ଷକ ଏ.ଯୁଧିଷ୍ଠିର ଦୋରା, ଯୁବ ଆଇନଜୀବୀ ତଥା ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ଗତ ନିର୍ବାଚନର କଂଗ୍ରେସର ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା ଓ ବିଧାୟିକା ପ୍ରାର୍ଥିନୀ ସୁରଭି ବିଷୋୟୀ, କଂଗ୍ରେସ ନେତା ଚିତ୍ରସେନ ବେହେରା, ଶିବରାମ ପ୍ରଧାନ, ହରେକୃଷ୍ଣ ରଥ, ଚିରଞ୍ଜିବୀ ବିଷୋୟୀଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେଇ ଭାରତୀୟ ସମ୍ବିଧାନ ଉପରେ ଆଲୋକପାତ କରିବା ସାଙ୍ଗକୁ ଏହାର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ୍ ହେବାକୁ ପରାମର୍ଶ ଦେବା ସହ ସମ୍ବିଧାନ ହେଉଛି ଆମର ସୁରକ୍ଷା କବଚ । ତେଣୁ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ସୋନାମିଞ୍ଚିନ୍ ଟାଉନହଲ୍ ପରିସରରେ ଅନୁଷ୍ଠିତ ହୋଇଥିବା ସମ୍ବିଧାନ ବଞ୍ଚାଅ ଦିବସ ପାଳନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀମାନେ ମହାମାନବ ମହାତ୍ମାଗାନ୍ଧୀ ଓ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । କଂଗ୍ରେସ ଦଳ ପକ୍ଷରୁ ଆସିକାରେ ଅନୁଷ୍ଠିତ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ଦିଗରେ ଯୁବ ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଆଇନଜୀବୀ ପ୍ରିୟାଂଶୁ ଶେଖର ପରିଡା, ଅଜିତ୍ କୁମାର ମୁନି, ଦୀପକ ଭୂୟାଁ, ପବିତ୍ର ପାତ୍ର, ଧବଳ ନାହାକ, ଗୋପାଳ ଜେନା, ପପୁ ଦାଶ, ଅବିନାଶ ବେହେରା, ଅଭିଷେକ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ଆସିକାରେ ଅନୁଷ୍ଠିତ ହୋଇଥିବା ବିଶାଳ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଖମ୍ବେଶ୍ୱରୀପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟ ନିକଟରୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅତିଥିମାନଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଟାଉନହଲ୍ ନିକଟରେ ହୋଇଥିବା ସଭାମଞ୍ଚ ନିକଟକୁ ପାଛୋଟି ନେଇଥିବା ଦେଖିବାକୁ ମିଳିଥିଲା ।


