ଟଙ୍କାଦେଣ ନେଣକୁ ନେଇ ଯୁବକକୁ ମାଡ଼: ଉଦ୍ଧାର କଲା ପୋଲିସ
ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ବଡରମ୍ପାସ ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା। ଟଙ୍କା ଦେଣନେଣକୁ ନେଇ ଗ୍ରାମର ଜଣେ ବ୍ୟକ୍ତି ମାନି ହୋଇଥିବା ଯୁବକକୁ ଦିନ ସାରା ଖୁଣ୍ଟରେ ବାନ୍ଧି ରଖିଥିଲା। ଏପରିକି ଗାଁ ର ଯେତେ ଲୋକ ଯାଇ ବୁଝା ସୁଝା କଲେ ବି ସେ ଛାଡି ନଥିଲା। ବେକରେ ଖଣ୍ଡା ଲଗାଇ ଟଙ୍କା ଦେବାର ଧମକ ମଧ୍ୟ ଦେଉଥିଲା। ଖବରପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଥାନାକୁ ଧରି ଆସିଛି। ସୂଚନାରୁ ଜଣା ଯାଇଛି କି ଗ୍ରାମର ନରେନ୍ଦ୍ର ଆୟଚ ନାମକ ଜଣେ ବ୍ୟକ୍ତି କିଛିଦିନ ପୂର୍ବେ ଗାଁର ଜଣେ ଯୁବକ ପାଖରୁ ୨୦ ହଜାର ଟଙ୍କା ପାଇବ ବୋଲି କହି ଯୁବକ ସହିତ ପାଟିତୁଣ୍ଡ କରି ମାରିବାକୁ ଗୋଡ଼ାଇ ଥିଲା। ଗାଁର ମହେନ୍ଦ୍ର ତ୍ରିପାଠୀ ନାମକ ଅନ୍ୟ ଜଣେ ଯୁବକ ସମାଧାନ କରିବାକୁ ଯାଇ ସେ ଟଙ୍କା ଯଦି ନ ଦେଇଛି ମୁଁ ଦେବି ବୋଲି କହି ସେତବେଳର ଉତ୍ତେଜନାକୁ ହ୍ରାସ କରାଇଥିଲେ। ପରବର୍ତ୍ତୀ ସମୟରେ ଏନେଇ ପଞ୍ଚାୟତରେ ଉଭୟ ପକ୍ଷ ବସି ବିବାଦର ସମାଧାନ କରି ନରେନ୍ଦ୍ରକୁ ସମସ୍ତ ଟଙ୍କା ଫେରସ୍ତ କରିଥିଲେ। କିନ୍ତୁ ଆଜି ଅଚାନକ ନରେନ୍ଦ୍ର ଆୟଚ ମହେନ୍ଦ୍ରକୁ ସେ ଟଙ୍କା ପୁନର୍ବାର ମାଗିଥିଲେ। ନଚେତ ପଞ୍ଚାୟତକୁ ଆସ ବୋଲି ଡାକିଥିଲେ। ମହେନ୍ଦ୍ର ପଞ୍ଚାୟତକୁ ଆସୁଥିବା ବେଳେ ନରେନ୍ଦ୍ର ତାକୁ ଅଟକାଇ ତାଙ୍କ ଘର ସମୁଖରେ ମହେନ୍ଦ୍ରର ଗୋଡ଼କୁ ଲୁହାଚେନରେ ବାନ୍ଧି ଚାବି ପକାଇବା ସହିତ ଏକ ଚେୟାରରେ ବସାଇ ଦେଇଥିଲେ। ଏଖବର ପାଇ ଗାଁର ଅନେକ ଲୋକ ନରେନ୍ଦ୍ରକୁ ବୁଝାସୁଝା କରି ଛାଡିବାକୁ ଅନୁରୋଧ କରୁଥିଲେ ବି ସେ ଏକ ଖଣ୍ଡା ଧରି ସମସ୍ତଙ୍କୁ ଗାଳି ଗୁଲଜ କରି ଜୀବନରେ ମାରିବାକୁ ଧମାକାଉ ଥିଲେ। ବୁଝାଇବାକୁ ଯାଉଥିବା ଲୋକମାନେ ଭୟଭୀତ ହୋଇ ଫେରିଆସୁଥିଲେ। ଦୀର୍ଘ ୬ଘଣ୍ଟା ପରେ ନନ୍ଦିପଦା ପୋଲିସ ପହଞ୍ଚି ମହେନ୍ଦ୍ରକୁ ଉଦ୍ଧାର କରିଛି।


