ପେନସନ ପାଇଁ ଶିକ୍ଷକଙ୍କୁ ନିର୍ଯାତନା ଯୋଗୁଁ କିରାଣୀ ନିଲମ୍ବିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହ ଯୋଗ ପରିବର୍ତ୍ତେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଶିକ୍ଷା ବିଭାଗର କନିଷ୍ଠ କିରାଣୀ ଭାଷ୍କର ଚନ୍ଦ୍ର ଗାହାଣଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି। ଏଥିରେ ଉଲ୍ଲେଖ ରହିଛି ଯେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ଲେଙ୍କା ଅବସର ନେବାର ପ୍ରାୟ ୫ମାସ ବିତିଗଲାଣି। ସେ ପେନସନ ପାଇବା ପାଇଁ ଆବଶ୍ୟକ କାଗଜପତ୍ର ମାର୍ଶାଘାଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ। କିନ୍ତୁ ସଂପୃକ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପେନସନ ପ୍ରଦାନ ପାଇଁ କନିଷ୍ଠ କିରାଣୀ ଶ୍ରୀ ଗାହାଣ ଆବଶ୍ୟକ ପ୍ରକ୍ରୀୟା ଆରମ୍ଭ ନକରିବା, ବାରମ୍ବାର ତାଙ୍କୁ କାର୍ଯ୍ୟାଳୟକୁ ଦୈାଡାଇବା ଓ ଜାଣିଶୁଣି ପେନସନ ପାଇଁ ଅସଂପୂର୍ଣ୍ଣ କଗଜପତ୍ର ଉପରିସ୍ଥ କାର୍ଯ୍ୟାଳୟକୁ ପଠାଇବା ଭଳି କାର୍ଯ୍ୟ କରୁଥିଲେ। ଯାହାଫଳରେ ଶିକ୍ଷକ ଶ୍ରୀ ଲେଙ୍କା ପେନସନ ଓ ଅନ୍ୟାନ୍ୟ ସୁବିଧା ପାଇବାରୁ ବଞ୍ଚିତ ହୋଇଥିଲେ। ଏନେଇ ଶ୍ରୀ ଲେଙ୍କା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ରଘୁରାମ ଆର. ଆୟାର ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ବାରିକ ଅଭିଯୋଗର ତଦନ୍ତ କରି ଜାଣିବାକୁ ପାଇଲେ ଯେ ଶ୍ରୀ ଗାହାଣ ଉଦେଶ୍ୟମୂଳକ ଭାବେ ଶିକ୍ଷକ ଶ୍ରୀ ଲେଙ୍କାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏହା ଜଣାପଡିବା ପରେ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ବାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀ ଗାହାଣଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ଅବଧି ମଧ୍ୟରେ କନିଷ୍ଠ କିରାଣୀ ଶ୍ରୀ ଗାହାଣ ରାଜକନିକା ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ହାଜିରା ପକାଇବେ ବୋଲି ନିର୍ଦେଶ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ