ଓରାଳି ଗ୍ରାମରେ ଘରର କାନ୍ଥ ଭାଙ୍ଗିପଡ଼ି ବୃଦ୍ଧା ମୃତ ଘଟଣା: ବର୍ଷେ ପରେବି ମିଳିଲାନି ସରକାରୀ ସହାୟତା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଓରାଳି ଗାଁରେ ଗତ ୨୦୨୪ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଘରର କାନ୍ଥ ଭାଙ୍ଗିପଡିବାରୁ ଜଣେ ୬୨ ବର୍ଷିୟ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାଇ ସେଦିନ ଲଘୁରୂପ ଜନିତ ଲଗାଣ ବର୍ଷା ହେବା ଯୋଗୁ କାନ୍ଥଟି ଭିତର ପଟକୁ ଢଳି ରହିଥିଲା। ଦିନ ୧୧ଟା ବେଳେ ତରୁ ଯେନା ନାମକ ଏହି ବୃଦ୍ଧା ଜଣକ ନିଜ ଘରେ ବସି ଖାଉଥିବା ସମୟରେ ହଠାତ ମାଟି ଘରର କାନ୍ଥଟି ତାଙ୍କ ଉପରେ ଭାଙ୍ଗି ପଡିଥିଲା। ଫଳରେ କାନ୍ଥ ତଳେ ଚାପିହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହାଟଡିହି ଦମକଳ ବାହିନୀ ପହଞ୍ଚି ମୃତା ବୃଦ୍ଧାଙ୍କୁ ଉଦ୍ଧାର କରିବା ସହିତ ନନ୍ଦିପଦା ପୋଲିସ ପହଞ୍ଚି ଶବକୁ ଜବତ୍ କରିବା ସହିତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ଓରାଳି ଆର. ଆଇ. ସର୍କଲର ରାଜସ୍ଵ ନିରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ମଧ୍ୟ ଏହାର ନିରିକ୍ଷଣ କରିଥିଲେ। ତରୁଙ୍କ ମୃତ୍ୟୁର ୧୬ ମାସ ବିତିଥିଲେ ବି ତରୁଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିପାରିନି। ଏନେଇ ତରୁଙ୍କ ପୁଅ ପ୍ରଦୀପ ଜେନା ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ଗୁହାରୀ କରୁଥିଲେ ମଧ୍ୟ ସହାୟତା ତ ଦୁରର କଥା ତାଙ୍କ ଅଭିଯୋଗ କୃ ଠିକ୍ ଭାବେ ଗ୍ରହଣ କରୁନାହାନ୍ତି ବୋଲି ପ୍ରଦିପ ଅଭିଯୋଗ କରିଛନ୍ତି। ପ୍ରଦୀପ ଜଣେ ଗରିବ ପରିବାରର ବ୍ୟକ୍ତି ହୋଇଥିବା ବେଳେ ସହାୟତାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସମାଜସେବୀ ବୁବୁ ପଟ୍ଟନାୟକ ଦାବି କରିଛନ୍ତି।


