ଶୀତ ଦିନରେ ଶସ୍ତା ହେଉନି ପରିଵା ଦର

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ସାଧାରଣତଃ ଶୀତ ବଢିବା ସହିତ ପରିବା ଦର ଦାମ କମି ଯାଇଥାଏ। ଏ ବର୍ଷ ଶୀତ ଯେତିକି ବଢୁଛି ତା ସହ ତାଳ ଦେଇ ତେଜରାତି ସାଙ୍ଗକୁ ପନିପରିବା ବଜାରରେ ଲାଗି ରହିଥିବା ଦରବୃଦ୍ଧି ଲୋକଙ୍କୁ ଡରାଇବାରେ ଲାଗିଛି। ପାଞ୍ଚ ଶହ ଟଙ୍କାରେ ବି ସାଧାରଣ ଲୋକଙ୍କ ପରିବା ବ୍ୟାଗ ଭରୁ ନଥିବା ବେଳେ ଗୃହିଣୀଙ୍କୁ ରୋଷେଇ ଘର ଅସ୍ତ ବ୍ୟସ୍ତ କରି ପକାଇଲାଣି। ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଅଂଚଳରେ କୌଣସି ଶୀତଳ ଭଣ୍ଡାର ନଥିବାରୁ ବ୍ୟବସାୟୀ ଙ୍କୁ ପନିପରିବା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଚାଷୀ ଏବେ ଧାନ ଅମଳ ଓ ବିକ୍ରୟ ପାଇଁ ମଣ୍ଡି ପାଇଁ ଧାନ ପ୍ରସ୍ତୁତ କାମରେ ବ୍ୟସ୍ତ ଥିବା ବେଳେ ଲାଗି ରହିଥିବା ଶୀତ ଓ କୁହୁଡି ଯୋଗୁଁ ସ୍ଥାନୀୟ ପରିବା ଚାଷୀଙ୍କ ଜମିରୁ ପରିବା ଲୋକଙ୍କ ଆବଶ୍ୟକ ଅନୁସାରେ ବଜାରକୁ ଆସୁନାହିଁ। ପରିବା ବ୍ୟବସାୟୀ ବଜାର କୁ ଆଣୁଥିବା ପନିପରିବା ସଙ୍ଗେ ସଙ୍ଗେ ଶେଷ ହୋଇଯାଉଥିବାରୁ ଗ୍ରାହକ ଙ୍କ ଆବଶ୍ୟକତା ଅନୁସାରେ ବଜାର ରେ ପରିବା ର ଅଭାବ ପରିଲିକ୍ଷିତ ହେଉଛି। ଏହି ସୁଯୋଗ ବ୍ୟବସାୟୀ ଦରବୃଦ୍ଧି କରି ମାଲେ ମାଲ ହେଉଛନ୍ତି।
ଅନ୍ୟ ପକ୍ଷେ ଦରବୃଦ୍ଧି ପାଇଁ ଚାଷୀ ମାନଙ୍କ ଠାରୁ ଲୋକେ ପରିବା କମାଇ ଦେଲେଣି। ବଜାର ରୁ ପରିବା କିଣିଲେ ପାଞ୍ଚ ଶହ ଟଙ୍କାରେ ବି ବ୍ୟାଗ ପୁରିବାର ଦୂରର କଥା ଅଧା ହେଉନାହିଁ। ପୂର୍ବରୁ କୋଡିଏ ଟଙ୍କାରେ ୪ଟି କଞ୍ଚା କଦଳୀ ମିଳୁଥିବା ବେଳେ ଏବେ କିଲୋ ୧୬୦ଟଙ୍କା ରେ ବିକ୍ରି ହେଉଛି। ଆଉ ଭାତ ଶହ ଡାଲି ଟେ ଆଳୁ ଟେ କରି ଖାଉଥିବା ଗରିବ ଗୁରୁବା ଏବେ ତେନ୍ତୁଳି କି ଆମ୍ବୁଲ ଲଗାଇ ଖାଇବା ପାଇଁ ବାଧ୍ୟ ହେଉଛନ୍ତି। ପନିପରିବା ଦର ଖାଉଟି ଙ୍କୁ ଅସ୍ତରଙ୍ଗ ଓ କୁଣ୍ଢେଇ ପରିବା ବଜାର ଭିତରକୁ ନ ପଶିବା ପାଇଁ ବାଧ୍ୟ କରୁଛି। ପରିବା ବ୍ୟବସାୟୀ ଓ ଚାଷୀ ଆଉ କିଲୋ ପ୍ରତି ଦର ନ କହି ଗ୍ରାହକ ଙ୍କୁ କମ୍ ଶୁଭିବ ବୋଲି ଅଢେଇ ଶହ କୁ ୩୦ଟଙ୍କା କହୁଛନ୍ତି। ଶସ୍ତାରେ ପରିବା ମିଳେ ବୋଲି ନାଁ କରିଥିବା ଅସ୍ତରଙ୍ଗ ଓ କୁଣ୍ଢେଇ ପରିବା ବଜାର ରେ ଏବେ ବାଇଗଣ ୬୦ରୁ ୧ଶହ ଟଙ୍କା, ବିଲାତ ୧ଶହ, ଗାଜର ୮୦ରୁ ୧ଶହ, ଶାଗ ୨୦ଟଙ୍କା ରେ ୩ ବିଡା, ପୋଟଳ ୭୦ରୁ ୯୦ଟଙ୍କା, ବନ୍ଧା କୋବି ୫୦ଟଙ୍କା, ଫୁଲ କୋବି ୪୦ଟଙ୍କା, କଞ୍ଚା ଲଙ୍କା ୨ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ତେଜରାତି ସାମଗ୍ରୀ ଗୁଡିକରେ ମଧ୍ୟ ମହଙ୍ଗା ମାଡ଼ ହୋଇଛି। ଏବେ ବଜାର କୁ ଆବଶ୍ୟକତା ଠାରୁ କମ୍ ପରିବା ଆସୁଥିବା ବି ଦର ବୃଦ୍ଧି ର ଅନ୍ୟ ଏକ କାରଣ ବୋଲି ବ୍ୟବସାୟୀ କହୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ