ବାଙ୍ଗୋର ପଞ୍ଚାୟତର ନୂତନ ଗୃହ ନିର୍ମାଣକୁ ନେଇ ବିବାଦ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ
ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲା ହାଟଡିହି ବ୍ଳକ ବାଙ୍ଗୋର ପଞ୍ଚାୟତର ନୂତନ ଗୃହକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ବାଙ୍ଗୋର ପଞ୍ଚାୟତ ୧୯୫୫ ମସିହାରୁ ଗଠନ ହେବା ପର ଠାରୁ ଖାଦାନ ହାଟ ନିକଟରେ ଏକ ଅସ୍ଥାୟୀ ଘରେ ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବଙ୍ଗୋର ପଞ୍ଚାୟତ ବିଭାଜନ ହେବା ପରେ ୧୪ ଟି ୱାର୍ଡକୁ ନେଇ ବଙ୍ଗୋର ପଞ୍ଚାୟତ ଚାଲିଥିବା ବେଳେ ଏବେ ନୂତନ କାର୍ଯ୍ୟାଳୟ ଗଠନ ପାଇଁ ଅନୁଦାନ ଆସିବା ପରେ ବିବାଦ ଆରମ୍ଭ ହୋଇଛି। ଗତ ପଞ୍ଚାୟତ ନିର୍ବାଚନ ରେ ଅଙ୍କିତା ପଢିଆରୀ ସରପଞ୍ଚ ଭାବେ ବାଙ୍ଗୋର ଗ୍ରାମରୁ ନିର୍ବାଚିତ ହେବା ପରେ ତାଙ୍କୁ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ହସ୍ତାନ୍ତର କରାଯାଇ ନଥିଲା। ଏପରିକି ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ରୁ ସମସ୍ତ ବୈଦୁତିକ ଉପକରଣ ଖୋଲି ନେଇଥିଲେ। ଏପରି ଅବ୍ୟବସ୍ଥା ଓ ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବାରେ ଲୋକଙ୍କ ସମସ୍ୟାକୁ ଦେଖି ବାଙ୍ଗୋର ବିଦ୍ୟାଳୟ ନିକଟରେ ଥିବା ଏକ କମ୍ୟୁନିଟି ଗୃହରେ ପଞ୍ଚାୟତ କାର୍ଯ୍ୟାଳୟ ଚଲାଇଥିଲେ। ଏପରିକି ସେଠାରେ ପିଡିଏସ ସାମଗ୍ରୀ ବଣ୍ଟନ କରିଥିଲେ। ଯାହାଦ୍ୱାରା ସମସ୍ତ ୱାର୍ଡର ଲୋକେ ସହଜରେ ପିଡ଼ିଏସ ସାମଗ୍ରୀ ପାଇ ପାରିଲେ।ପୂର୍ବ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିକଟରେ ଥିବା ରାଜୀବ ଗାନ୍ଧୀ କାର୍ଯ୍ୟାଳୟ ଗୃହଟି ମଧ୍ୟ ଭଗ୍ନ ଅବସ୍ଥାକୁ ଚାଲିଆସିଥିଲା। ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନଥିବାରୁ ପଞ୍ଚାୟତର ଭିତ୍ତିଭୂମି ସୁଦୃଢ଼ କରିବାକୁ ସରକାର ନୂତନ ଗୃହ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି । କିଛି ମୁଷ୍ଟିମେୟ ଲୋକ ପୂର୍ବ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କାର୍ଯ୍ୟାଳୟ ନିର୍ମାଣ କରିବାକୁ ଲାଗିପଡ଼ିଥିବା ବେଳେ ବାଙ୍ଗୋର ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ବାଙ୍ଗୋର ସ୍କୁଲ ନିକଟରେ ଥିବା ଖାତା ନଂ ୫୩୯ ପ୍ଲଟ ନଂ ୨୭୯୧ ପତିତ କିସମ ଜମିର ୧ ଏକର ୨୨ ଡିସିମିଲ ଜମି ଉପରେ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ୧୨ଟି ୱାର୍ଡ ର ଲୋକମାନେ ଦାବି କରିଛନ୍ତି। ଏନେଇ ଗ୍ରାମସଭା ଓ ପଲ୍ଲୀସଭା କରାଯାଇ କେନ୍ଦୁଝର ଜିଲ୍ଲା ପାଳ, ଉପଜିଲ୍ଲାପାଳ, ବିଡ଼ିଓ ଏବଂ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସରପଞ୍ଚ ଅଙ୍କିତା ପଢିଆରୀଙ୍କୁ ପଚାରିବାରୁ ବର୍ତ୍ତମାନ ଯେଉଁଠି ପଞ୍ଚାୟତ କାର୍ଯ୍ୟାଳୟ ଚାଲିଛି ତାହା ନିକଟବର୍ତ୍ତୀ ସ୍ଥାନରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କରାଗଲେ ସମଗ୍ର ପଂଚାୟତ ବାସୀ ଉପକୃତ ହେବେ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ଉକ୍ତ ପଞ୍ଚାୟତ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ତହସିଲରୁ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଯଦି ଲୋକମାନେ ଚାଁହୁଥିବା ସ୍ଥାନରେ ଗୃହ ନିର୍ମାଣ କରା ନଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ନାଏବ ସରପଞ୍ଚ ନନ୍ଦ କିଶୋର ସାହୁ, ଭାରତୀ ଝାମ୍ପୁଲା, ରବୀନ୍ଦ୍ର କୁମାର ସାହୁ, ସରସ୍ବତୀ ପାତ୍ର, ଅଞ୍ଜନ ପରିଡା, ଶୁଭମ ପଢିଆରି, ଝୁନୁ ପଇଦା, ପ୍ରଦୀପ ପାତ୍ର, ସଂଜୁ ବିଶ୍ୱାଳ, ତପସ୍ୱିନୀ ନାଇକ, ସୁଲୋଚନା ପାତ୍ର, ଗାୟତ୍ରୀ ବେହେରା, ମଦନ ନାଇକ, ରଙ୍ଗଲତା ବେହେରା, ଚନ୍ଦ୍ରମଣି ମୁଦୁଲି, ନରହରି ମହାରଣାଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


