ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜରେ ବ୍ୟାପକ ଅନିୟମିତା ଓ ଦୁର୍ନୀତି ଅଭିଯୋଗ ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ
କଟକ, (ଓ୍ବାଇଏନଏସ): ବଲାଙ୍ଗୀରସ୍ଥିତ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସହିତ ଶରଦେଶ୍ବରୀ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ବ୍ୟାପକ ଅନିୟମିତା ଓ ଦୁର୍ନୀତି ଅଭିଯୋଗ ନେଇ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଶୁତୋଷ ଷଡ଼ଙ୍ଗୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରି ୨୦କୁ ମାମଲାର ପବରର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।ମାମଲାର ବିବରଣୀରୁ ପ୍ରକାଶ ଯେ ଶରଦେଶ୍ବରୀ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ସହିତ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରେ ବ୍ୟାପକ ଅନିୟମିତା ଓ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଉଥିଲେ ମଧ୍ୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଛି। କେବଳ କଲମ କାଗଜରେ ଔଷଧ କିଣା ଯାଉଥିବା କାରଣରୁ ସବୁ ବେଳେ ହସ୍ପିଟାଲରେ ଔଷଧର ଅଭାବ ଦେଖିବାକୁ ମିଳୁଛି। ରୋଗୀଙ୍କୁ ସରକାରୀ ବ୍ୟବସ୍ଥାରେ ଔଷଧ ମିଳି ପାରୁ ନାହିଁ। ଏ ବାବଦ ଅର୍ଥ ତୋଷାରପାତ କରାଯାଉଥିବା ଅଭିଯୋଗ ରହିଛି। ଏଥି ସହିତ ଇନଡୋର ରୋଗୀଙ୍କ ଖାଦ୍ୟ ଯୋଗାଣ କ୍ଷେତ୍ରରେ ଟେଣ୍ଡର କରାଯାଉ ନାହିଁ। ବିଗତ ୭/୮ ବର୍ଷ ହେବ ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କୁ ଇନଡୋର ରୋଗୀଙ୍କ ଖାଦ୍ୟ ଯୋଗାଣ ପାଇଁ ଦାୟିତ୍ବ ଦିଆଯାଇଛି। ଟେଣ୍ଡର ନ କରି ଜଣେ ବ୍ୟକ୍ତିଙ୍କୁ ଏପରି କାର୍ଯ୍ୟ ଦିଆଯାଇ ବ୍ୟାପକ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଛି। କ୍ୟାମ୍ପସରେ ଧନ୍ବନ୍ତରୀ ମନ୍ଦିର ନିର୍ମାଣ ନାଁରେ ଜୋର ଜବରଦସ୍ତ ୟୁଜି,ପିଜି ଓ ପିଏଚଡି ପିଲାଙ୍କ ନିକଟରୁ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ରହିଛି। ଏହି ଅର୍ଥ ଆତ୍ମସାତ କରାଯାଉଛି। ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ଲାଗି ଘରୋଇ କୋଠା ଭଡ଼ାସୂତ୍ରରେ ନିଆଯାଇଛି। ଏଭଳି ହଷ୍ଟେଲରେ ବାସ୍ତବରେ କୌଣସି ବିଦ୍ୟାର୍ଥୀ ରହୁ ନାହାନ୍ତି। ଏପରି କରି ଭଡ଼ା ବାବଦ ଅର୍ଥ ଆତ୍ମସାତ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏପରି ଅନିୟମିତତା ଓ ଦୁର୍ନୀତି ଅଭିଯୋଗର ତଦନ୍ତ ବିଚାରବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଗଲେ ସତ ପଦାକୁ ଆସିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରଶ୍ମୀନାରାୟଣ ପଟ୍ଟନାୟକ ଓ ସରକାରଙ୍କ ପକ୍ଷରୁ ଏଜିଏ ଶାଶ୍ବତ ଦାସ ମାମଲା ପରିଚାଳନା କରୁଛନ୍ତି।


