ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ବିକାଶ ସମ୍ଭବ: ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଗାନ୍ଧୀଛକ ନିକଟ ସାରଙ୍ଗ ପଡିଆ ଠାରେ ଶୁକ୍ରବାର ସାନଖେମୁଣ୍ଡି ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରବୀଣ କୁମାର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ମେଳାରେ ମତ୍ସ୍ୟ ,ପ୍ରାଣୀସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗ୍ରାମାଞ୍ଚଳ ରେ କୃଷି ଓ କୃଷକ ମାନଙ୍କ ର ବିକାଶ ହେଲେ ଦେଶ ତଥା ରାଜ୍ୟ ର ଅର୍ଥନୀତି ସୁଦୃଢ଼ ହେବ।ଏହାଦ୍ବାରା ସାଧାରଣ ଲୋକଙ୍କ ବିକାଶ ସାଙ୍ଗକୁ ସେମାନଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରିବ।ସାନଖେମୁଣ୍ଡି ର ବିକାଶ ଦିଗରେ ଆମ୍ଭେମାନେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ। ମା ଆଉ ମାଟି କୁ ନେଇ ଆମେ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ତାଙ୍କ ଉଦବୋଧନରେ କହିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଯୋଜନାରେ ଚାଷୀଙ୍କ ପାଇଁ ଭଣ୍ଡାର ଖୋଲା ଅଛି ଏହାର ଲାଭ ପାଇବା ପାଇଁ ମନ୍ତ୍ରୀ ଉପସ୍ଥିତ ଥିବା କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ଯୋଜନା ରହିଛି ସେଥିରେ ସାମିଲ ହୋଇ ଚାଷୀ ଭାଇ ମାନେ ରୋଜଗାର କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ରୁ ବହୁ ସଂଖ୍ୟକ ଯୁବକ ଦାଦନ ଖଟିବାକୁ ଯାଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି।ନିଜ ଜନ୍ମ ମାଟି ଗାଁ ରେ ରହି କାମ କଲେ ସରକାରଙ୍କ ତରଫରୁ ବିଭିନ୍ନ ସ୍କିମ ମାଧ୍ୟମ ରେ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି ସେ ମତପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗାଈ , ମଇଁଷି ପାଳନ , କୃଷି ଉଦ୍ୟୋଗ ଯୋଜନାରେ ହିତାଧିକାରୀଙ୍କୁ ଅତିରିକ୍ତ ରିହାତି , ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ କୁକୁଡ଼ା ପାଳନ , ଛେଳି, ମେଣ୍ଢା ପାଳନ , ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ନୂତନ ଗୋଶାଳା ପାଇଁ ସରକାରୀ ସହାୟତା ସମେତ ମତ୍ସ୍ୟ ଚାଷ ସମ୍ପର୍କରେ ଅତିଥିବୃନ୍ଦ ଉପସ୍ଥିତ କୃଷକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଚାଷୀ ମାନଙ୍କ ପାଇଁ ଲୋକାଭିମୁଖୀ ଯୋଜନା କରି ସେମାନଙ୍କୁ ସହାୟତା କରି ଆସୁଛନ୍ତି ।ଏହି କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ବାରମ୍ବାର ଅଫିସ୍ କୁ ନଦୌଡାଇ ହିତାଧିକାରୀଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ,ଉପାଧ୍ୟକ୍ଷା ରିଙ୍କି ନାହକ ,ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ର ,ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ଅରବିନ୍ଦ ବେହେରା, ଗଞ୍ଜାମ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ଅଞ୍ଜନ କୁମାର ଦାସ , ଜିଲା ମତ୍ସ୍ୟ ଅଧିକାରୀ ଭାରତ ଭୁଷଣ ଜେ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସାନଖେମୁଣ୍ଡି ବ୍ଳକର ଶ୍ରେଷ୍ଠ ଛେଳି ପାଳକ,ଗୋପାଳକ ଏବଂ ମତ୍ସ୍ୟ ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଧୁବଳ କିଶୋର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମେଳାରେ ଉଭୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


