ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡିରୁ ମିଳିଲା ୧୧ ଲକ୍ଷ ୯୩ ହଜାର ଟଙ୍କା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖର ରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ  ମା ‘ ନିଜ ବାଙ୍କେଶ୍ୱରୀ ମନ୍ଦିର ପରିସରରେ ଥିବା ଦାନହୁଣ୍ଡି ଶୁକ୍ରବାର ଖୋଲା ଯାଇଥିଲା।ସେଥିରୁ ୧୧ ଲକ୍ଷ ୯୩ ହଜାର ୬ ଶହ ଟଙ୍କା ମିଳିଥିବା ଜଣାପଡ଼ିଛି।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମନ୍ଦିର ଉନ୍ନୟନ କମିଟି ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ପରିଚାଳନା କମିଟି ସଭାପତି ରବୀନ୍ଦ୍ର ମଲ୍ଲିକ, କାର୍ଯ୍ୟକର୍ତ୍ତା ରାମକୃଷ୍ଣ ଚୌଧୁରୀ,ଏଫ୍. ରାଜୀବ ରେଡ୍ଡୀ,ସରପଞ୍ଚ ଲିଙ୍ଗରାଜ ଦୋରା, ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ,ରାଜ କିଶୋର ମହାନ୍ତି,ବିକ୍ରମ ସିଂ,ମୁଖ୍ୟ ସେବାୟତ ଜଗଦୀଶ ପଣ୍ଡା ଙ୍କ ସମେତ ପରିଚାଳନା କମିଟି ର ବହୁ ସଂଖ୍ୟକ କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ଙ୍କ ଉପସ୍ଥିତିରେ ୫ ଟି ଦାନ ହୁଣ୍ଡି ଖୋଲାଯାଇ ଭକ୍ତ ମାନଙ୍କ ପକ୍ଷରୁ ପ୍ରଦତ୍ତ ଅର୍ଥରାଶି ଗଣତି କରାଯାଇଥିଲା।ସମୟ ଅଭାବରୁ ମନ୍ଦିର ପରିସରରେ ଥିବା ଆଉ ଏକ ଦାନହୁଣ୍ଡି ଖୋଲା ଯାଇନଥିବା ଜଣାପଡ଼ିଛି।ପରବର୍ତ୍ତୀ ସମୟରେ ଏହି ଦାନ ହୁଣ୍ଡି ଖୋଲାଯିବା ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥିର କରାଯାଇଥିବା ଜଣାପଡ଼ିଛି।ଦାନହୁଣ୍ଡି ରୁ ମିଳିଥିବା ଅର୍ଥରାଶି କୁ ପରିଚାଳନା କମିଟି ସଭାପତି ଙ୍କୁ ହସ୍ତାନ୍ତର କରାଯାଇଥିଲା।ପରବର୍ତ୍ତୀ ସମୟରେ ଏହି ଅର୍ଥରାଶି କୁ ମନ୍ଦିର ପରିଚାଳନା କମିଟି ଯୁଗ୍ମ ବ୍ୟାଙ୍କ ଖାତାରେ ଜମା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଗତ ୨ ବର୍ଷ ପୂର୍ବେ ଦାନହୁଣ୍ଡି ଖୋଲା ଯାଇ ସେଥିରୁ ୯ ଲକ୍ଷ ଟଙ୍କା ମିଳିଥିଲା।ଦାନହୁଣ୍ଡି ରୁ ଏବଂ ଅନଲାଇନ୍ ମାଧ୍ୟମରେ ଭକ୍ତ ମାନଙ୍କ ଠାରୁ ମିଳିଥିବା ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟାଙ୍କ ଜମାଖାତା ରେ ଥିବା ଜଣାପଡ଼ିଛି।ମନ୍ଦିରର ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି।ମନ୍ଦିର ରୋଷେଇ ଗୃହ ନିର୍ମାଣ ନିମନ୍ତେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ତାଙ୍କ ହାତପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତାଙ୍କ ଉଦ୍ୟମରେ ରାସ୍ତା ମରାମତି କାର୍ଯ୍ୟ ଚାଲୁ ରହୁଥିବାରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ