ଖଣି ମନ୍ତ୍ରୀ ଧରିଲେ ୩ ବାଲି ବୋଝେଇ ଟ୍ରାକ୍ଟର : ଦେଲେ ପୋଲିସ ଜିମା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ରାଜ୍ୟ ଖଣି,ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ନିକଟରେ ୩ ଟି ବାଲି ବୋଝେଇ ଟ୍ରାକ୍ଟର କୁ ଧରି ଦିଗପହଣ୍ଡି ପୋଲିସ ର ଜିମା ଦେଇଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ର ପ୍ରସଙ୍ଗ ପାଲଟିଛି। ମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ରବିବାର ଅପରାହ୍ନରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ଦେଇ ରାୟଗଡ଼ା ଯାଉଥିବା ବେଳେ ମୌଳାଭଞ୍ଜା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରାଯାଉଥିବା ୩ ଟି ବାଲି ବୋଝେଇ ଟ୍ରାକ୍ଟର କୁ ଧରି ତଦନ୍ତ ପାଇଁ ପୋଲିସ ର ଜିମା ଦେଇଥିଲେ।ପୋଲିସ ଟିମ୍ ବାଲି ବୋଝେଇ ୩ ଟ୍ରାକ୍ଟର କୁ ଜବତ କରି ଥାନାକୁ ନେଇଥିଲେ।ଏନେଇ ଥାନା ମାମଲା ନଂ.୫୧୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଜଣାଇଛନ୍ତି।ଦିଗପହଣ୍ଡି ,ସାନଖେମୁଣ୍ଡି ଓ ଚିକିଟି ଅଞ୍ଚଳ ଅଧିନ ବାହୁଦା,ଘୋଡ଼ାହାଡ଼ ଓ ରାମନଦୀ ଅବବାହିକା ରୁ କିଛି ବାଲି ମାଫିଆ ବେଆଇନ ଭାବେ ନଦୀପଠା ରୁ ଜେସିବି ମେସିନ ରେ ବାଲି ଉତ୍ତୋଳନ କରି ଟ୍ରକ୍,ଟ୍ରାକ୍ଟର ଯୋଗେ ପଡୋଶୀ ଆନ୍ଧ୍ର ସମେତ ବିଭିନ୍ନ ଗ୍ରାମକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏପରିକି ଖଣି ଓ ରାଜସ୍ବ ବିଭାଗ ପକ୍ଷରୁ ନିଲାମ ହୋଇନଥିବା ବିଭିନ୍ନ ବାଲି ଘାଟ ଗୁଡିକରୁ ଦିବାଲୋକରେ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି।


