“ବନ୍ଦେ ମାତରମ”ର ୧୫୦ତମ ବାର୍ଷିକୀ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ରାଷ୍ଟ୍ରଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକୀ ଅବସରରେ ଆଜି ପୂର୍ବାହ୍ନ ଘ.୧୧.୦୦ଟା ସମୟରେ ବାଲେଶ୍ୱର ଜିଲ୍ଲା ସ୍କୁଲର ସମ୍ମିଳନୀ କକ୍ଷରେ ଏକ ଭବ୍ୟ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଓ ଶିକ୍ଷାବିଦ୍‌ମାନେ   “ବନ୍ଦେ ମାତରମ” ରାଷ୍ଟ୍ରଗୀତକୁ ସମ୍ମାନ ଜଣାଇଥିଲେ। ଏହି ଉତ୍ସବ ସହ ସମନ୍ୱୟରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀ/ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ନେଇ ବାଲେଶ୍ୱର ମଣ୍ଡଳସ୍ତରୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର  ବିଧାୟକ ବାଲେଶ୍ଵର ଶ୍ରୀ ମାନସ କୁମାର ଦତ୍ତ ଯୋଗଦେଇ ଦେଶପ୍ରେମ ଓ ସାଂସ୍କୃତିକ ଏକତାରେ “ବନ୍ଦେ ମାତରମ”ର ଐତିହାସିକ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଏହି ସଭାରେ ମାନ୍ୟବର ବିଧାୟକ ନୀଳଗିରି ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ, ମାନ୍ୟବର ଅଧ୍ୟକ୍ଷା ,ବାଲେଶ୍ଵର ମ୍ୟୁନିସିପାଲଟି  ଶ୍ରୀମତୀ ସବିତା ସାହୁ, ମାନ୍ୟବର ଅଧ୍ୟକ୍ଷ ,ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ,ସାଧାରଣ ଉପସ୍ଥିତ ଥିଲେ।  ସଭା ସମାପ୍ତି ପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନିରଞ୍ଜନ ପଣ୍ଡା, ଜାମିନୀକାନ୍ତ ମିଶ୍ର, ଦୀପକ ରାଉତ ଓ ରଜନୀକାନ୍ତ ମହାପାତ୍ର  ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଏକଦିନିଆ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିରରେ ୫ଟି ଜିଲ୍ଲାରୁ ମୋଟ ୨୬୭ଜଣ ଶିକ୍ଷକ/ଶିକ୍ଷୟିତ୍ରୀ/ଅଧ୍ୟାପକ/ଅଧ୍ୟାପିକା ପ୍ରଶିକ୍ଷାର୍ଥୀ ଭାବେ ଅଂଶଗ୍ରହଣ କରି “ବନ୍ଦେ ମାତରମ” ଗୀତର ଗାୟନ ଓ ଭାବନାତ୍ମକ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରତ୍ୟେକ ବ୍ଲକ୍ ଓ ପୌରାଞ୍ଚଳସ୍ତରରୁ ଚୟନିତ ଏହି ପ୍ରଶିକ୍ଷକମାନେ ଆଗାମୀ ଦିନରେ ସ୍ଥାନୀୟ ସ୍ତରରେ ଅନ୍ୟ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ସଭା ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ