ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ

ଛତ୍ରପୁର,(ଓ୍ବାଇଏନଏସ):  ଜିଲ୍ଲାରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକ ଲଗାଇବା ପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନ କରାଯାଉଛି । ତଥାପି ସଡକ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦୁର୍ଘଟଣା ଜନିତ ହାର ୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ୧୮ ପ୍ରତିଶତ ବୃଦ୍ଧି ପାଇଛି । ଏଣୁ ଏନେଇ ବ୍ୟାପକ ଚଢାଉ ସହିତ ଡ୍ରାଇଭର ମାନଙ୍କୁ ନେଇ ସଚେତନ କରିବା ପାଇଁ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚାଲିଥିବା ଜିଲ୍ଲା ସଡକ ସୁରକ୍ଷା କମିଟିରେ ଜିଲ୍ଲାପାଳ ଭି. କୀର୍ତ୍ତୀଭାସନ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ମସିହା ଜାନୁଆରୀ ମାସରୁ ନଭେମ୍ବର ମାସ ମଧ୍ୟରେ ୭୫୭ ଟି ଦୁର୍ଘଟଣା ହୋଇଥିବା ବେଳେ ୩୫୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ୫୦୪ ଜଣ ଆହାତ ହୋଇଛନ୍ତି । ସେହି ତୁଳନାରେ ୨୦୨୫ ରେ ୮୨୯ ଟି ଦୁର୍ଘଟଣା ଘଟିଥିବା ବେଳେ ୪୧୯ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ୫୫୭ ଜଣ ଆହାତ ହୋଇଛନ୍ତି । ବିଶେଷ କରି ରାଜପଥ ଗୁଡିକରେ ଅଧିକ ଦୁର୍ଘଟଣା ଘଟି ମୃତ୍ୟୁ ବରଣ କରିଛନ୍ତି । କିପରି ଏହା ଉପରେ ରୋକ ଲାଗିପାରିବ ସେନେଇ ଏନଫୋର୍ସମେଣ୍ଟ କଡାକଡି କରିବାକୁ କୁହାଯାଇଛି । ପ୍ରତ୍ୟେକ ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଆଂଚଳିକ ପରିବହନ ଅଧିକାରୀ ଓ ଜାତୀୟ ରାଜପଥ ବିଭାଗର କର୍ତ୍ତୁପକ୍ଷ ମାନେ ଚିହ୍ନଟ ହୋଇଥିବା ବ୍ଲାକସ୍ପଟ ଅଂଚଳ ବୁଲି ଦୁର୍ଘଟଣାର କାରଣ ଖୋଜିବା ସହିତ ସମୀକ୍ଷା କରି ରିପୋର୍ଟ ସଂଗ୍ରହ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଏହା ସହିତ ସେଭ୍ ଲାଇଫ୍ ଅଫ୍ ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ୩୩ ଟି ପୋଲିସ୍ ଥାନା ମଧ୍ୟରୁ ୧୧ ଟି ଥାନା ଅଂଚଳରେ ୬୦ ପ୍ରତିଶତରୁ ଅଧିକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଅଂଚଳ ମାନଙ୍କରେ କିପରି ଦୁର୍ଘଟଣା ହାର କମାଯାଇପାରିବ ତାର ସୁବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଜାତୀୟ ରାଜପଥ ପାଶ୍ୱର୍ରେ ବେଆଇନ  ପାର୍କିଂ ଓ ବେଆଇନ ଦୋକାନ ଗୁଡିକ ରହିବା ଦ୍ୱାରା ଦୁର୍ଘଟଣା ବଢୁଥିବାରୁ ଏଗୁଡିକୁ ବନ୍ଦ କରିବାକୁ ଏକ ଯୁଗ୍ମ କମିଟି ଗଠନ କରାଯିବ ।  ଏହା ସହିତ ବେଆଇନ ଜବରଦଖଲ କୁ ମଧ୍ୟ ଉଛେଦ କରାଯିବ l ଗଞ୍ଜାମ ପୋଲିସ୍ ଜିଲ୍ଲାର ଖଲ୍ଲିକୋଟ, ଚମାଖଣ୍ଡି, ବୁଗୁଡା, ରମ୍ଭା ଓ ଆସିକା ଥାନା ଅଂଚଳରେ ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଥିବା ବେଳେ ଖଲ୍ଲିକୋଟ, ଚମାଖଣ୍ଡି, ଆସିକା, ହିଞ୍ଜିଳି ଓ ପୁରୁଷୋତ୍ତମପୁର ଥାନା ଅଂଚଳରେ ଦୁର୍ଘଟଣା ରେ ବହୁ ଆହାତ ହୋଇଛନ୍ତି । ସେହିପରି ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ବି. ସଦର ଥାନା, ଦିଗପହଣ୍ଡି ଥାନା ଓ ଗୋଳନ୍ଥରା ଥାନା ଅଂଚଳରେ ଦୁର୍ଘଟଣା ଜନିତ ମୃତ୍ୟୁ ଅଧିକ ହେଉଥିବା ବେଳେ ଟ୍ରାଫିକ ଥାନା, ସଦର ଥାନା ଓ ଗୋଳନ୍ଥରା ଥାନା ଅଂଚଳରେ ଦୁର୍ଘଟଣାରେ ଅଧିକ ଆହାତ ହେଉଛନ୍ତି । ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ନଭେମ୍ବର ମାସ ଭିତରେ  ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ପୋଲିସ୍ ବିଭାଗ ପକ୍ଷରୁ ଅଭର ସ୍ପିଡ ଗାଡି ଚାଳନା ନେଇ ୪ ହଜାର ୪୯୬ ଟି ମାମଲା ରୁଜୁ ହୋଇଥିବା ବେଳେ ହେଲମେଟ ବ୍ୟବହାର କରୁନଥିବା ନେଇ ୫୪ ହଜାର ୨୦୮ ଟି , ସିଟ ବ୍ୟାଲ୍ଟ ବ୍ୟବହାର କରିନଥିବା ନେଇ ୧୨୪୦ ଟି ମାମଲା, ଗାଡି ଚାଳନା ବେଳେ ମୋବାଇଲର ବ୍ୟବହାର କରାଯାଉଥିବା ନେଇ ୧୨୪୯ ଟି, ମଦ୍ୟପାନ କରି ଗାଡି ଚଳାଉଥିବା ନେଇ ୨୩୦୦ ଟି, ତ୍ରିପଲ ରାଇଡିଂ ନେଇ ୫୭୫ ଜଣ, ବିପରୀତ ଦିଗରେ ଗାଡି ଚାଳନା ନେଇ ୧୯ ହଜାର ୪୨୪ ଟି, ନାବାଳକ ଗାପଡି ଚାଳନା ନେଇ ୨୬ଟି, ୭୩୫ ଟି ଅଭର ଲୋଡିଂ ମାମଲା ରୁଜୁ ହୋଇଥିବା ବୈଠକରେ ଗଞ୍ଜାମ ଆଂଚଳିକ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ୱାଇଁ ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ, ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର, ଏନଏଚଆଇ ପିଡି ଡି. ପ୍ରକାଶ,ଗଞ୍ଜାମ ଆରଟିଓ ଇଂ. ଦେବାଶିଷ ସ୍ୱାଇଁ,  ଭଞ୍ଜନଗର ଆରଟିଓ ଭାଗିରଥି ନାୟକ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଅଲେଖ କୁମାର ପ୍ରଧାନ, ଖଲ୍ଲିକୋଟ, ଗଞ୍ଜାମ, ରମ୍ଭା, ପୁରୁଷୋତ୍ତମପୁର ଏନଏସିର ନିର୍ବାହୀ ଅଧିକାରୀ, ବସ ଓ ମିନି ବସ ମାଲିକମାନେ ଏବଂ ଜିଲ୍ଲା ସଡକ ସୁରକ୍ଷା କମିଟିର ସଭ୍ୟ ମାନେ ଉପସ୍ଥିତ ଥିଲେ । ବୈଠକ ର ଶେଷରେ ଦୁର୍ଘଟଣା ଘଟିବାର ଏକ ଘଣ୍ଟା ବା ଗୋଲଡେନ ଆୱାର ମଧ୍ୟ ରେ ଦୁର୍ଘଟଣାଗ୍ରସ୍ତ ଙ୍କୁ ଡାକ୍ତରଖାନା ପଠାଇଥିବା ୨ ଜଣ ଙ୍କୁ ଗୁଡ଼ ସମିରଟନ ଭାବେ ପୁରସ୍କୃତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ