ବାଙ୍ଗଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା ନିର୍ମମ ହତ୍ୟା ପ୍ରତିବାଦରେ ବଳଦେବ ସେନାର ବିକ୍ଷୋଭ ପ୍ରଦର୍ଶନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାଂଲାଦେଶରେ ନିରୀହ ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ବଳଦେବସେନା ପକ୍ଷରୁ ମଙ୍ଗଳବାର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସିଂହଦ୍ୱାର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ସଂଗଠନର ବହୁ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଯୋଗ ଦେଇଥିଲେ। ବିକ୍ଷୋଭକାରୀମାନେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟଙ୍କ ସୁରକ୍ଷା ତତ୍କାଳ ନିଶ୍ଚିତ କରାଯାଉ ବୋଲି ଦାବି କରିଥିଲେ। କୌଣସି ଦେଶରେ ଧର୍ମ ଆଧାରରେ ନିରୀହ ଲୋକଙ୍କ ଉପରେ ହିଂସା କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ। ଯେପରି ଭାବେ ବାଂଲାଦେଶୀ ନାଗରିକ ଦିପୁ ଚନ୍ଦ୍ର ଦାସଙ୍କୁ ଗଛରେ ଝୁଲାଇ ଜୀବନ୍ତ ଦଗ୍ଧ କରାଯାଇଥିବା ଘଟଣା ଘଟିଥିଲା ତାହା ଅତ୍ୟନ୍ତ ହୃଦୟବିଦାରକ। ଏହି ଘଟଣା ସମଗ୍ର ହିନ୍ଦୁ ସମାଜକୁ ବିଚଳିତ କରିଛି। ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଭାରତ ସରକାର ତୁରନ୍ତ ବାଂଲାଦେଶରେ ନିର୍ଯାତିତ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଆବଶ୍ୟକ ହେଲେ ସେମାନଙ୍କୁ ଭାରତରେ ଶରଣାର୍ଥୀ ଭାବେ ରହିବାର ଅନୁମତି ଦିଅନ୍ତୁ ବୋଲି ସେନା ପକ୍ଷରୁ ଦାବି କରାଯାଇଛି। ଏହା ସହ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ଦିର ସେବକ ଟ୍ରଷ୍ଟି ନୃସିଂହ ଚରଣ ପତ୍ରୀ, ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଉମାକାନ୍ତ ବଳ, ମୁଖପାତ୍ର ଜ୍ୟୋତିରଞ୍ଜନ ପତ୍ରୀ, ସେବକ ରାଜେନ୍ଦ୍ର ପ୍ରସାଦ ପତ୍ରୀ ଓ ଅନ୍ୟ ସଦସ୍ୟ ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ପ୍ରକାଶ ଗୋଛୟତ, ଗଣେଶ ଗୋଛୟତ, ସୁବାସ ନାୟକ ଓ ଦିବ୍ୟାଂଶୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


