ଗିରଫ ପିଇଓଙ୍କ ଘରେ ଭିଜିଲାନ୍ସର ପୁଣି ଖୋଲାତାଡ଼

ହାଟଡିହି (ଓ୍ବାଇଏନଏସ): ଗତମାସ ଡିସେମ୍ବର ମାସ ୩୦ ତାରିଖରେ ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ କରିବା ସହିତ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା। ସେଦିନ ତାଙ୍କର ଘର ସମେତ ବ୍ୟବସାୟ ପ୍ରତିଷ୍ଠାନ, ଶ୍ୱଶୁର ଘର, ପଞ୍ଚାୟତ ଅଫିସ ଆଦି ୬ଟି ସ୍ଥାନରେରେଡ କରି ୩କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଠାବ କରିଥିଲା।  ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସେଦିନ ତାଙ୍କ ବସନ୍ତିଆ ବଜାରସ୍ଥିତ ଗୋଦାମର ଚାବି କାଠି ମିଳି ନଥିବାରୁ ଯାଞ୍ଚ ଅଧାରେ ରହିଥିଲା। ପୁନର୍ବାର ଆଜି ସକାଳେ ବାଲେଶ୍ୱର ଭିଜିଲାନସର ଏକ ୧୦ ଜଣିଆ ଟିମ ପହଁଞ୍ଚି ଗୋଦାମ ଘର ଚାବି ଖୋଲିବା ସହିତ ଯାଞ୍ଚ କରୁଛନ୍ତି। ସମ୍ପୃକ୍ତ ପିଇଓ ଜଣଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନିଲମ୍ବିତ କରାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବଞ୍ଚୋ ପଞ୍ଚାୟତର ପିଇଓ ଜିତେନ୍ଦ୍ର ଜେନା ୧୨/୮/୧୯୯୫ରେ ହଦଗଡ଼ ପଞ୍ଚାୟତର ସେକ୍ରେଟେରୀ ଭାବେ ମାସିକ ୨୨ଶହ ଟଙ୍କା ପାରିଶ୍ରମିକରେ ନିଯୁକ୍ତି ପାଇଥିଲେ। ପରେ ୨୦୦୯ରେ ସେ ପଦୋନ୍ନତି ପାଇ ସମଣା, କେ.ବାଲିପାଳ, ଢେଙ୍କା, ବଡ଼ ରମ୍ପାସ ଆଦି ପଞ୍ଚାୟତର  ପିଇଓ ଭାବେ କାର୍ଯ୍ୟ କରିଥିବା  ବେଳେ ଏବେ ବଞ୍ଚୋ, ବାଲିବରେଇ, ବଡ଼ ରମ୍ପାସ ପ୍ରଭୃତି ପଞ୍ଚାୟତର ପିଇଓ ଅଛନ୍ତି। ଗତ କିଛି ମାସ ହେଲା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ତାଙ୍କ ନାମରେ ଭିଜିଲାନ୍ସରେ ଅନେକ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଚଢ଼ାଉକରି ଜିତେନ୍ଦ୍ରଙ୍କ ଅନେକ ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ତନ୍ମଧ୍ୟରେ ରହିଛି  ହାଟଡିହି ବ୍ଲକ ବିରଞ୍ଚିପୁରରେ ୩୩୦୦ ବର୍ଗଫୁଟର ୩ ମହଲା ଘର,  ଜଗନ୍ନାଥପୁର ବସନ୍ତିଆ ବଜାରରେ ଦୁଇ ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ୍ ଯାହା ୫ ହଜାର ବର୍ଗଫୁଟ୍‌ରେ ଠିଆ ହୋଇଛି। ଏହାର ସରକାରୀ ମୂଲ୍ୟ ୧.୩୪ କୋଟି ହେବ। ଉକ୍ତ ବଜାରରେ ୨ଟି ଗୋଦାମ ଘର ରହିଛି। ଚଣ୍ଡିଆ, ବିରଞ୍ଚିପୁର ଓ ହାଟଡିହି, ଜଗନ୍ନାଥରପୁର ମଉଜା, ବସନ୍ତିଆ ବଜାରରେ ୬ଟି ପ୍ଲଟ୍ ଠାବ ହୋଇଛି। ଏହାଛଡା ୧୦୦ ଗ୍ରାମ୍ ସୁନା, ୩୪ ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ୍ ଜମା। ୧ଟି କାର, ୨ଟି ବାଇକ୍ ସହ ତାଙ୍କ ଘରୁ ୪ ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ଠାବ ହୋଇଛି। ସେ ରହୁଥିବା ବିରଞ୍ଚିପୁର ମରେଇଗାଁରେ ୩ ମହଲା ଘରେ ଭିଜିଲାନ୍ସ ଚଢ଼ଉ କରି କିଛି କାଗଜପତ୍ର ଜବତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ