ଶୁଦ୍ଧାନନ୍ଦ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ସାଇନ୍ସର ସମାବର୍ତ୍ତନ ଉତ୍ସବ ପାଳିତ
କଟକ, (ଓ୍ବାଇଏନଏସ): କଟକ ନଛିପୁରସ୍ଥିତ ଶୁଦ୍ଧାନନ୍ଦ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ସାଇନ୍ସର ୨ୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସମାରୋହରେ ମୁଖ୍ୟଅତିଥି ଭାବେ ଇଡକୋର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଆଇ.ଏ.ଏସ୍ ଡ଼ଃ ସୁରେଶ ଚନ୍ଦ୍ର ଦଳାଇ, ଯୋଗଦେଇଥିଲେ। ଏମ୍.ବି.ଏ ଓ ଏମ୍.ସି.ଏ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ମାତକୋତ୍ତର ପ୍ରମାଣ ପତ୍ର ବିତରଣ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ନିଜ ନିଜର କ୍ରମ କ୍ଷେତ୍ରରେ ସଚ୍ଚୋଟତାର ସହ କର୍ମ ତତ୍ପର ହେବା ପାଇଁ ଶପଥ ପାଠ କରାଇଥିଲେ। ଏତତ୍ ବ୍ୟତୀତ ସମ୍ମାନୀୟ ଅତିଥି ଭାବେ ଶୁଦ୍ଧାନନ୍ଦ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଡ଼ଃ. ସୁନୀଲ କୁମାର ପଟ୍ଟନାୟକ ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ, ତଥା କର୍ମଚାରୀ ଓ ମିଡ଼ିଆ ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜଣାଇ ସମବେତ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଏ ଅନୁଷ୍ଠାନରୁ ସଫଳତା ଲାଭ କରିଥିବା ଏମ୍.ବି.ଏ ଓ ଏମ୍.ସି.ଏ ଛାତ୍ରଛାତ୍ରୀ ମାନେ ଅନେକ ସଂଖ୍ୟାରେ ଏ ଅନୁଷ୍ଠାନ ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ, ସେଥିପାଇଁ ଆଜି ମୁଁ ଗର୍ବ ଅନୁଭବ କରୁଛି। ଏତତ୍ ବ୍ୟତୀତ ଅନୁଷ୍ଠାନର ସାମାଜିକ ଦାୟିତ୍ୱ ତୁଲାଇବା ସହିତ, ଏ ଅଞ୍ଚଳର ତିନି ଜଣ ବ୍ୟକ୍ତିତ୍ୱ ଯଥା ; ଶ୍ରୀମତୀ ଅଳକା ପୂରବୀ ପାତ୍ର, କୁରାଙ୍ଗ ଶାସନର ପୂର୍ବତନ ସରପଞ୍ଚ ଶ୍ରୀମତୀ ରୋହିଣୀ ଭୋଇ, ସରପଞ୍ଚ କୁରାଙ୍ଗ ଶାସନ ତଥା ଏ ଅଞ୍ଚଳର ଅନନ୍ୟ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ଅଶୱାନ୍ତ ଖାଁଙ୍କୁ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଓ ପ୍ରତିଷ୍ଠାନର ମୁଖ୍ୟ ଡ଼ଃ. ପଟ୍ଟନାୟକ ସମ୍ମାନିତ କରିଥିଲେ।ମଞ୍ଚାସୀନ ଅତିଥିଭାବେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ସରିତା ନାୟକ, ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ପଣ୍ଡା, ଅନୁଷ୍ଠାନର ନିର୍ଦ୍ଦେଶକ ବା ପ୍ରଧ୍ୟାପକ ରଶ୍ମିରଞ୍ଜନ ମହାପାତ୍ର ଏବଂ ପ୍ରତିଷ୍ଠାନର ଡ଼ିନ୍ ଡ଼ଃ ରଞ୍ଜନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ଼ଃ ସରିତା ନାୟକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ, ପ୍ରତିଷ୍ଠାନର ଡ଼ିନ୍ ଡ଼ଃ ରଞ୍ଜନ କୁମାର ସାହୁ ଅନୁଷ୍ଠାନ ତଥା ସମାରୋହର ତାତ୍ପର୍ଯ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧ୍ୟାପକ ପବନ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ ପ୍ରଧ୍ୟାପକ ସୁବାସ ଖିଲାର, ସ୍ୱୟଂ ସ୍ୱାଗତ ସ୍ୱାଇଁ, ବିଷ୍ଣୁପ୍ରିୟା ଦାସ, ସ୍ମତିଶିକ୍ଷା ଦାସ, ଦେବଦତ୍ତ ସିଂହ, ପୁଲିନ କୁମାର ଗନ୍ତାୟତ ଓ ଶୁଭସ୍ମିତା ନାୟକ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ପ୍ରଧ୍ୟାପକ ପବନ କୁମାର ସ୍ୱାଇଁ ସମବେତ ଅତିଥି ତଥା ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


