ଶାସଙ୍ଗ ସମିତିରେ ଖୋଲିଲାନି ଧାନ ମଣ୍ଡି, ଜିଲ୍ଲାପାଳଙ୍କୁ ଦାବିପତ୍ର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲାନି, ଫଳରେ ଚାଷୀମାନେ ୮ କିଲୋମିଟର ଦୂର ମରେଇଗାଁ ସମିତିରେ ଖୋଲିଥିବା ମଣ୍ଡିକୁ ଧାନ ବିକିବାକୁ ଯାଉଛନ୍ତି। ଫଳରେ ନାନା ସମସ୍ୟାର ସମୁଖୀନ ହେଉଥିବାରୁ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ୩ ବର୍ଷ ହେଲା ନୂତନ କରି ଗଠିତ ହୋଇଥିବା ଏହି ସମବାୟ ସମିତିରେ ୯ ଶହ ପାଖାପାଖି ଚାଷୀ ସାଦସ୍ୟ ଅଛନ୍ତି। ପୂର୍ବରୁ ଏହି ଚାଷୀମାନେ ମରେଇଗାଁ ସମିତିରେ ଥିବାବେଳେ ଅନେକ ଦାବିପରେ ପୂର୍ବ ସରକାର ସମୟରେ ଏହି ନୂତନ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ କରୁଛି। ସମିତି ଖୋଲାଯାଇଥିଲେ ମଧ୍ୟ ଏଠାରେ ଧାନ ମଣ୍ଡି କରା ନଯିବାରୁ ଚାଷୀମାନେ ୭/୮ ଦୂର ଧାନ ମଣ୍ଡିକୁ ଧାନ ବିକିବାକୁ ଯିବାରେ ନାନା ସମସ୍ୟା ଭୋଗୁଛନ୍ତି। ଏହି ସମସ୍ୟା ପାଇଁ ଚଳିତ ବର୍ଷ ୯ ଶହ ଚଷାଙ୍କ ଭିତରୁ ମାତ୍ର ୧୩୨ଜଣ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜିକୃତ କରିଛନ୍ତି। ଅନ୍ୟ ଚାଷୀମାନ ବାଧ୍ୟ ହୋଇ ଦଲାଲଙ୍କ ହାତରେ ବହୁ କମ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ତେଣୁ ତୁରନ୍ତ ଶାସଙ୍ଗ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିବାକୁ ଅନାଦି ଚରଣ ବିଶ୍ଵାଳ, ଚୈତନ୍ୟ ପୁହାଣ, ଭୀମସେନ ନାୟକ, ସୁଧାଂଶୁ ବିଶ୍ୱାଳ, ନିରଞ୍ଜନ ବିଶ୍ଵାଳ, ବାସନ୍ତୀ ବିଶ୍ୱାଳ, ପ୍ରଶାନ୍ତ ସ୍ୱାଇଁ, ସୁଧାକର ସା, କମଳାକାନ୍ତ ଆୟଚ଼, ଆକାଶ ସା ପ୍ରମୁଖ ଦାବି କରିଛନ୍ତି ।


