ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନେଇ ଆସିକାରେ ଶୋଭାଯାତ୍ରା
ଆସିକା (ୱାଇଏନ୍ଏସ୍) : ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କୁ ଦୁର୍ବୃତ୍ତମାନେ ପୋଡି ମାରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ବାଂଲାଦେଶରେ ହିନ୍ଦୁଙ୍କ ଧନ ଓ ଜୀବନ ଏବଂ ସଂପତ୍ତିର ପୋଡାଜଳାର ପ୍ରତିବାଦରେ ରବିବାର ଅପରାହ୍ନରେ ବିଶ୍ୱ ହିନ୍ଦୁ ପରିଷଦ ଓ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆସିକାରେ ପ୍ରତିବାଦ ସଭା, ଶୋଭାଯାତ୍ରା ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଜଣାପଡିଛି । ଆସିକା ଏନ୍ଏସି ଅଧୀନସ୍ଥ ଟାଉନହଲ୍ ଠାରୁ ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମେତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ହିନ୍ଦୁ ଏକତା ଜିନ୍ଦାବାଦ୍, ବାଂଲାଦେଶ ମୁର୍ଦ୍ଦାବାଦ୍, ବାଂଲାଦେଶରେ ହିନ୍ଦୁ ହତ୍ୟା ଚଳିବ ନାହିଁ, ହିନ୍ଦୁ ହିନ୍ଦୁ ଭାଇ ଭାଇ ଇତ୍ୟାଦି ସ୍ଳୋଗାନ୍ ଦେଇ ଅଶୋକ ସିନେମା ରୋଡ, ବିନାୟକ ବଜାର, ଲକ୍ଷ୍ମୀବଜାର, କଳିଙ୍ଗରୋଡ ସମେତ ଆଖପାଖ ଅଞ୍ଚଳକୁ ପରିକ୍ରମା କରିଥିଲେ । ଆସିକା ବସଷ୍ଟାଣ୍ଡ ସ୍ଥିତ କଳିଙ୍ଗରୋଡ ମା ଖମ୍ବେଶ୍ୱରୀଙ୍କ ମୁଖଶାଳା ନିକଟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶ୍ୱ ହିନ୍ଦୁ ପରିଷଦର ଆସିକା ନଗର ସଭାପତି ବିମ୍ବାଧର ପାତ୍ର, ଆର୍ଏସ୍ଏସ୍ର ସକ୍ରିୟ ସଦସ୍ୟ ଶିବରାମ ମହାରଣା, ନାରାୟଣ ରଥ, ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ଉଦ୍ବୋଧନ ଦେଇ ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାଶଙ୍କ ବିନା ଦୋଷରେ କେତେକ ଦୁର୍ବୃତ୍ତ ଗଛରେ ବାନ୍ଧି ପିଟି ପିଟି ଯେଉଁଭଳି ହତ୍ୟା କରି ମୃତଦେହରେ ନିଆଁ ଲଗାଇ ଜାଳିଦେଲେ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ପ୍ରକାଶ କରିବା ସହ ଏହି ଘଟଣାରେ ସଂପୃତ୍ତ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ଅନ୍ୟ କେତେକ ସଂଗଠନ ପକ୍ଷରୁ ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନେଇ ଆସିକାରେ ଅନୁଷ୍ଠିତ ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ସଂଘ କାର୍ଯ୍ୟକର୍ତ୍ତା ମହାଦେବ ସେଠୀ, ଶିବରାମ ମହାରଣା, ବୃନ୍ଦାବନ ବେହେରା, ନାରାୟଣ ରଥ, ସନ୍ତୋଷ କୁମାର ବେହେରା, ସିଦ୍ଧେଶ୍ୱର ପାଣିଗ୍ରାହୀ, ରାଧାକୃଷ୍ଣ ପାଣିଗ୍ରାହୀ, ବିମ୍ବାଧର ପାତ୍ର, ଇ.ଭେଙ୍କେଟ ରମଣ ପାତ୍ର, ବୁଲୁ ଜେନା, ଦିଲୀପ କୁମାର ସ୍ୱାଇଁ, ଗିରିଜା ଶଙ୍କର ଦାଶ, ପ୍ରସନ୍ନ କୁମାର ପ୍ରଧାନ, ମନୋଜ କୁମାର ଭଂଜ, ବି.ଶ୍ରୀକାନ୍ତ ରେଡି, ନିତ୍ୟାନନ୍ଦ ସାହୁ, ପଂଚାନନ ଭଂଜ, ପି.ନାଗେଶ୍ୱର ପାତ୍ର, ଯୋଗେନ୍ଦ୍ରନାଥ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଛି ।


