କ୍ଳଷ୍ଟରସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଏବଂ ବିଦ୍ୟାଳୟ ଯାଉନଥିବା ପିଲାଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଓ ଅଧାରୁ ପାଠ ନ ଛାଡିବା ପାଇଁ ସଚେତନ କରିବା ସାଙ୍ଗକୁ ଡ୍ରପ୍ଆଉଟ୍ ପିଲାଙ୍କୁ ଶିକ୍ଷା ମନସ୍କ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ୧୩ଟି କ୍ଳଷ୍ଟର ଅଧିନସ୍ଥ ୧୬୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଆସ ସ୍କୁଲ ଯିବା ଅଭିଯାନ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଦେଖିବାକୁ ମିଳୁଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି ଓ ସହକାରୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା, ପ୍ରମୁଖ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଅଭିଭାବକ ମାନଙ୍କୁ ସଚେତନ କରିବା ସାଙ୍ଗକୁ ବିଦ୍ୟାଳୟ ବାହାରେ ରହୁଥିବା ସମସ୍ତ ପିଲା ଯେପରି ଶିକ୍ଷାନୁଷ୍ଠାନକୁ ଆସିପାରିବେ ସେଥିପାଇଁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିବା ସାଙ୍ଗକୁ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର କରୁଥିବା ଦେଖିବାକୁ ମିଳୁଛି । ସରକାରୀ ବିଦ୍ୟାଳୟ ଗୁଡିକରେ ନିରାପଦ ଓ ଆନନ୍ଦଦାୟକ ଶିକ୍ଷଣ ପରିବେଶ ସୃଷ୍ଟି ସାଙ୍ଗକୁ ଯେପରି କୌଣସି ପିଲା ଶିକ୍ଷାଗତ ଅଧିକାରରୁ ବଞ୍ଚିତ ନ ହୁଅନ୍ତି ତାହାକୁ ସୁନିଶ୍ଚିତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଆସିକା ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ କରାଯିବା ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ନେଇ ର୍ୟାଲି ଓ ଶପଥପାଠ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳୁଛି । ୬ ବର୍ଷ ବୟସରୁ ୧୮ ବର୍ଷ ବୟସର ବିଦ୍ୟାଳୟ ମାଡିନଥିବା ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ଯୋଡିବା ସାଙ୍ଗକୁ ଡ୍ରପ୍ଆଉଟ୍ ପିଲାଙ୍କୁ କିପରି ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ଆକୃଷ୍ଟ କରାଯିବ ତାହାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଆସ ସ୍କୁଲ ଯିବା ଅଭିଯାନକୁ ସଚେତନ ନାଗରିକ ଓ ବୁଦ୍ଧିଜିବୀ ଏବଂ ଅଭିଭାବକଙ୍କ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା କ୍ଳଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆର୍ସିସି ହରିବନ୍ଧୁ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କ୍ଳଷ୍ଟରସ୍ତରୀୟ ଆସ ସ୍କୁଲ ଯିବା ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହାଡୁବନ୍ଧୁ ମହାରଣା, ସରପଞ୍ଚ ଦୈତାରୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମସୁନ୍ଦର ବେହେରା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଏହି ଶିକ୍ଷା କଲ୍ୟାଣକାରୀ ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ୬ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯେପରି ପାଠପଢା ନଛାଡି ନିୟମିତ ସ୍କୁଲକୁ ଆସିବେ ସେ ସଂକ୍ରାନ୍ତରେ ମାର୍ଗଦର୍ଶନ କରିବା ସାଙ୍ଗକୁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ବାଲିସିରା କ୍ଳଷ୍ଟର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବାଳକୃଷ୍ଣ ଲେଙ୍କା, ସାହେବ ବେହେରା, ରଂଜିତା ବେହେରା, ସୂର୍ଯ୍ୟମଣି ନାହାକ, ସିମାଞ୍ଚଳ ମଲିକ, ରବିନ୍ଦ୍ର କୁମାର ସାହୁ, ରଜନୀ ଲାକ୍ରା, ରାମକୃଷ୍ଣ ପଟ୍ଟନାୟକ, ଲିଙ୍କନ୍ ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାମକୃଷ୍ଣ ପ୍ରଧାନ, ରଂଜିତା ବେହେରାଙ୍କ ସମେତ କ୍ଳଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବହୁ ସହକାରୀ ଶିକ୍ଷକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଂଜ ବେହେରାଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ ପ୍ରେମଲତା ବେହେରା, ରାମନାଥ ପଟ୍ଟନାୟକ, ନିରୂପମା ଦାଶ, ଅଙ୍କିତା ମହାପାତ୍ର, ମିନତୀ ଦିଗଲ୍, ସୂର୍ଯ୍ୟନାରାୟଣ ସାହୁଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ପରିଲକ୍ଷିତ ହୋଇଥିଲା ।


