ମାଞ୍ଜା ସୂତା ସାଜିଛି ଘାତକ : ଗୁଡ଼ି ସୂତା ଲାଗି କଟିଲା ଯୁବକଙ୍କ ମୁହଁ ଓ ବେକ

କଟକ, (ଓ୍ବାଇଏନଏସ): ଚୀନ ମାଞ୍ଜା ସୂତା ନେଉଛି ଜୀବନ । ଗୁଡ଼ି ସୂତା ସାଜିଛି ହତ୍ୟାକାରୀ । ଗୁଡ଼ି ସୂତାରେ କାହାର ବେକ କଟିଲାଣି ତ କାହାର ମୁହଁ ହାତ । ମକର ସଂକ୍ରାନ୍ତି ଅବସରରେ ଗୁଡ଼ିର ମାଞ୍ଜା ସୂତା ଏବେ ଲୋକଙ୍କ ପାଇଁ କାଳ ହୋଇଛି । ବାଇକ୍ ଚଳାଇ ଯାଉଥିବା ଲୋକେ ରାସ୍ତାରେ ଉଡ଼ୁଥିବା ମାଞ୍ଜା ସୂତାରେ ଲାଗି ପ୍ରାଣ ହରାଉଛନ୍ତି ତ ଆଉ କେତେକ ସ୍ଥାନରେ ଗୁରୁତର ହେଉଥିବାର ଗୋଟିଏ ପରେ ଗୋଟିଏ ଖବର ଆସିବାରେ ଲାଗିଛି । ଗୁରୁବାର ଖାନନଗର ଟ୍ରାଫିକ ଛକରେ ମାଞ୍ଜା ସୂତା ଲାଗି ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ମୁହଁ କଟି ଯାଇଛି । ଗୁରୁତର ଯୁବକଙ୍କୁ ଏସସିବିରେ ଭର୍ତ୍ତି କରିଛି ପୋଲିସ । ସେହିଭଳି ଖାନନଗରର ନଦୀ ବନ୍ଧ ରାସ୍ତାରେ ସୂର୍ଯ୍ୟକାନ୍ତ ଓ ତାଙ୍କର ବନ୍ଧୁ ବାଇକ୍ ଯୋଗେ ଭୁବନେଶ୍ବର ଯିବା ସମୟରେ ଗୁଡ଼ି ସୂତା ଲାଗି ଯାଇଥିଲା । ଫଳରେ ସୂର୍ଯ୍ୟକାନ୍ତଙ୍କ ମୁହଁ ଓ ବେକ କଟି ଯାଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେବଳ କଟକ ନୁହେଁ ମକର ସଂକ୍ରାନ୍ତି ଦିନ ଗୁଡ଼ି ମାଞ୍ଜା ସୂତା ଲାଗି ଢେଙ୍କାନାଳ ମୀନାବଜାର ଅଞ୍ଚଳର ଅଭିଶେଖ ସାହୁ ଆହତ ହୋଇଥିଲେ । ସେହିପରି ପୁରୀ ସହରରେ ମଧ୍ୟ ୩ ଜଣ ବ୍ୟକ୍ତି ଆହତ ହେବା ଘଟଣା ସାମ୍ନାକୁ ଆସିଥିଲା । ତେଣୁ ପୁରୀ ପୋଲିସ ଘଟଣାକୁ ଗୁରୁତର ସହ ନେଇ ବେଆଇନ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ ଜାରି ରଖିଛି ।କେବଳ ଓଡ଼ିଶା ନୁହେଁ ଦେଶରେ ମଧ୍ୟ ଗୁଡ଼ିର ମାଞ୍ଜା ସୂତାରେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗରୁତର ହୋଇଛନ୍ତି । କର୍ଣ୍ଣାଟକରେ ଜଣେ ବ୍ୟକ୍ତି ବାଇକ୍ରେ ଯିବା ବେଳେ ଗୁଡ଼ି ସୂତାରେ ଲାଗି ତାଙ୍କ ବେକ କଟି ଯାଇଥିଲା । ସେ ସେହିଠାରେ ପଡିଯିବା ସହ ଝିଅକୁ ଫୋନ୍ କରିବାକୁ ଚେଷ୍ଟା କରିଥିଲେ । ଆଉ ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଉତ୍ତରପ୍ରଦେଶ ଜୌନପୁରରେ ଜଣେ ଡାକ୍ତର ବାଇକ୍ରେ ଘରକୁ ଫେରୁଥିବା ବେଳେ ତା ବେକଙ୍କ ଗୁଡ଼ି ସୂତାରେ ଲାଗିଯାଇ କଟି ଯାଇଥିଲା । ସୁତା ଏତେ ତୀକ୍ଷ୍ଣ ଥିଲା ଯେ ଏହା ତାଙ୍କ ବେକ ହାଡ଼କୁ ବି କାଟି ଦେଇଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେଲେଙ୍ଗାନା, ମଧ୍ୟ ପ୍ରଦେଶରେ ମଧ୍ୟ ୩ ଜଣଙ୍କର ଗୁଡ଼ି ମାଞ୍ଜା ସୂତା ଯୋଗୁଁ ମୃତ୍ୟୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ