ବିଭିନ୍ନ ଦାବୀ ନେଇ ସିପିଆଇ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଭିନ୍ନ ଦାବୀ ନେଇ ଆଜି ସିପିଆଇ ପକ୍ଷରୁ ବନ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭରେ ଶତାଧିକ ସାଥୀ ସମର୍ଥକ ମାନେ ହାତରେ ବ୍ୟାନର ଓ ଦଳୀୟ ପତାକା ଧରି ଥାନା ଛକରୁ ବାହାରି ବନ୍ତ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚ ଥିଲେ । ପରେ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ରାଜ୍ୟ ସମ୍ପାଦକ ଡଃ.ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜିଲା ସହ ସମ୍ପାଦକ ରମେଶ ଜେନା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ନିରଞ୍ଜନ ନାୟକ, ଦୀଲିପ ନାୟକ, କଲିମୁଦ୍ଦୀନ ଖାଁ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ କଟୁ ସମାଲୋଚନା କରିଥିଲେ । ବିଜେପି ସରକାର ହାରି ଯିବା ଭୟରେ ଏସଆଇଆରର ଅପପ୍ରୟୋଗ କରି ଗରିବ, ଆଦିବାସୀ, ଦଳିତ ତଥା ବିରୋଧୀ ଭୋଟରଙ୍କ ନାମ ତାଲିକାରୁ ବାଦ ଦେଇ ବାହାର ରାଜ୍ୟର ବିଜେପି ଲୋକଙ୍କ ନାମ ଭୋଟର ତାଲିକାରେ ଭର୍ତ୍ତି କରି ନିର୍ବାଚନ କିଣିବାକୁ ଷଢଯନ୍ତ୍ର କରୁଛି ବୋଲି ଅଭିଯୋଗ କରିଥିଲେ । ଏଥିସହିତ ବନ୍ତ ବ୍ଲକରେ ତୁରନ୍ତ ସମସ୍ତ ଧାନ ମଣ୍ଡି ଖୋଲିବା, ସମସ୍ତ ଚାଷୀଙ୍କୁ ଯଥାଶିଘ୍ର ଟୋକନ ପ୍ରଦାନ କରିବା, କଟନୀ ଛଟନୀ ବନ୍ଦ କରିବା, ଭାଗ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ ସରକାରୀ ଦରରେ ଧାନ କିଣିବା, ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକକୁ ବନ୍ଦ କରିବା, ପ୍ରଦୂଷଣମୁକ୍ତ ସାର୍ଟିଫିକେଟ ଆଳରେ ଗାଡି ମାଲିକ ଓ ଚାଳକଙ୍କୁ ଶୋଷଣ ବନ୍ଦ କରିବା, ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା, ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରିବା, ସମସ୍ତ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଆଦି ଦାବୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ ସମସ୍ତ ସମସ୍ୟାକୁ ନେଇ ଜାନୁଆରୀ ୨୪ରୁ ୩୧ ମଧ୍ୟରେ ଘରକୁ ଘର ଯାଇ ଗଣ ପାଣ୍ଠି ସଂଗ୍ରହ କରି ଫେବୃଆରୀ ୨ରୁ ୭ ମଧ୍ୟରେ ବ୍ଲକ ସ୍ତରରେ ବ୍ୟାପକ ଗଣ ଆନ୍ଦୋଳନ କରାଯିବା ସହ ଫେବୃଆରୀ ୧୨ରେ ସର୍ବ ଭାରତୀୟ ହରତାଳ ଡାକରା ଦିଆଯାଇଛି । ପରେ ଅନ୍ୟ ଏକ ପର୍ଯ୍ୟାୟରେ ଜିଲା ସ୍ତରୀୟ ଆନ୍ଦୋଳନ କରାଯିବ ବୋଲି ବକ୍ତା ମାନେ କହିଥିଲେ । ଶେଷରେ ରବିନ୍ଦ୍ର ନାୟକ, ଅରବିନ୍ଦ ବିଶ୍ୱାଳ, ସୁବାଷ ଚନ୍ଦ୍ର ବେହେରା, ଉମାକାନ୍ତ ମହାପାତ୍ର, ରମାକାନ୍ତ ସାହୁ, ଭାସ୍କର ଚନ୍ଦ୍ର ବେହେରାଙ୍କ ସମେତ ଏକ ପ୍ରତିନିଧି ଦଳ ବିଡିଓଙ୍କ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ନୃସିଂହ ପରିଡା, ବିଷ୍ଣୁ ଜେନା, ଜୟନ୍ତ ଜେନା, କୈଳାସ ଜେନା, ଋକ୍ମଣୀ ଜେନା, ଗୋଲାପୀ ଜେନା, ମାଳତୀ ଜେନା, ସଞ୍ଜୟ ସାମଲ, କାର୍ତ୍ତିକ ଜେନା, କିଶୋର ବେହେରା, ଅଭିମନ୍ୟୁ ଜେନା, କମଳାକାନ୍ତ ଜେନାଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ ।


