ଆସିକା ଲାୟନ୍ସ କ୍ଳବ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର
ଆସିକା (ୱାଇଏନ୍ଏସ୍): ଆସିକା ଏନ୍ଏସି ଅଧୀନସ୍ଥ ଅଧୀଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ କଲ୍ୟାଣ ମଣ୍ଡପ ପରିସରରେ ଲାୟନ୍ସ କ୍ଳବ ପକ୍ଷରୁ ରବିବାର ଏକ ମାଗଣା ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଲାୟନ୍ସ କ୍ଳବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରରେ ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀ ସମ୍ ହସପିଟାଲର ବରିଷ୍ଠ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମୁଦୁଲି, ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ଜଗଦେବ, ଭେଷଜ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟାରାଣୀ ପତି, କର୍ଣ୍ଣ ଓ ନାସା ଏବଂ ଗଳାରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଜିତ୍ ପାଣିଗ୍ରାହୀ, ହୃଦରୋଗ ବିଶେଷଜ୍ଞ ଡାକ୍ତର ସମୀର ପାଣିଗ୍ରାହୀ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମିନାକ୍ଷୀ ସାହୁ, କର୍କଟରୋଗ ବିଶେଷଜ୍ଞ ଡାକ୍ତର ଶିବଶଙ୍କର ମହାପାତ୍ର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଶୁବାଶିଷ୍ ପାଣିଗ୍ରାହୀ, ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମିନାକ୍ଷୀ ମୁନି ପ୍ରମୁଖ ଯୋଗଦେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ନିରୂପଣ କରି ଔଷଧ ଖାଇବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ଲାୟନ୍ସ କ୍ଳବର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ୍ ହସପିଟାଲ୍ ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାଶ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକରୁ ଅଧିକ ସୁଗମ କରିବା ସାଙ୍ଗକୁ ବିଭିନ୍ନ ସଂଗଠନର ସହଯୋଗରେ ସମ୍ ହସପିଟାଲ ପକ୍ଷରୁ ଦିଆଯାଉଥିବା ନିଃଶୁଳ୍କ ଚିକିତ୍ସା ସେବା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଆସିକା ଲାୟନ୍ସ କ୍ଳବର ସଭାପତି ପି.ସୁଧାକର ପାତ୍ର, ସଂପାଦକ ପ୍ରିୟବ୍ରତ ମିଶ୍ର, ପୂର୍ବତନ ସଭାପତି ଇ.ଅରୁଣ କୁମାର ପାତ୍ର, ଟି.ତିରୁପତି ପାତ୍ର, କେ.କିଶୋର କୁମାର ସେନାପତି, ବି.ଭି.ଭେଙ୍କଟ ରମଣ ମୁର୍ତ୍ତି, କେ.ସନ୍ତୋଷ କୁମାର ସେନାପତି, ପି.ତ୍ରିପତି ପାତ୍ର, ସୁରେନ୍ଦ୍ରନାଥ ସୁବୁଦ୍ଧି, ଏସ୍.ବଦ୍ରିନାରାୟାଣ ପୃଷ୍ଟି, ଡି.ଅମରନାଥ ପାତ୍ର, ଡି.ମୋହନ ପାତ୍ର, ନୀଳମାଧବ ପାତ୍ର, ବସନ୍ତ ଷଡଙ୍ଗୀ, ପଞ୍ଚାନନ ନାୟକ, ଇ.ରାଜକିଶୋର ପାତ୍ରଙ୍କ ସମେତ ସଂଗଠନର ସମସ୍ତ ସକ୍ରିୟ ସଦସ୍ୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଅର୍ଥାଭାବ କିମ୍ବା ଅନ୍ୟ କୌଣସି କାରଣରୁ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ବଞ୍ଚିତ ହୋଇଆସୁଥିବା ଲୋକଙ୍କ ସୁବିଧା ଓ ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ବ୍ରହ୍ମପୁର ସ୍ଥିତ ଶୀତଳାପଲ୍ଲୀ ସମ୍ ହସପିଟାଲ୍ର ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ବିଭିନ୍ନ ଅଞ୍ଚଳର ଜନତା ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଆସିକା ଲାୟନ୍ସ କ୍ଳବ ପକ୍ଷରୁ ବର୍ଷତମାମ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ଏଭଳି ନିଃଶୁଳ୍କ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଲାୟନ୍ସ କ୍ଳବ ଦୀର୍ଘ ପ୍ରାୟ ୩୫ ବର୍ଷ ଧରି ବର୍ଷର ବିଭିନ୍ନ ସମୟରେ କରିଆସୁଥିବା ମାଗଣା ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ରକ୍ତଦାନ ଶିବିର, ପରିବେଶର ସୁରକ୍ଷା ଲାଗି ଚାରାରୋପଣ, ଗରିବ ଗୁରୁବାଙ୍କୁ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କମଳ ବଣ୍ଟନ ସମେତ ଅନ୍ୟାନ୍ୟ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସାର ପାତ୍ର ପାଲଟିଥିବା ଦେଖିବାକୁ ମିଳୁଛି ।


