ହସ୍ତାନ୍ତର କରାଯାଉନାହିଁ ମଧୁପୁର ଅଙ୍ଗନୱାର୍ଡି କେନ୍ଦ୍ର: ଅସୁରକ୍ଷିତ ଘରେ ଗଢା ଚାଲିଛି ପିଲାଙ୍କ ଭବିଷ୍ୟତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ପଂଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମରେ ମଧୁପୁର ଅଙ୍ଗନୱାର୍ଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ୧୫ଜଣ ପିଲା ପାଠ ପଢୁଛନ୍ତି। ଏହି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ହସ୍ତାନ୍ତର ହୋଇ ନଥିବାରୁ ପିଲାମାନେ ୧୯୯୯ ମହାବାତ୍ୟା ପରେ ନିର୍ମାଣ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ପଢୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗୃହଟି ଅସୁରକ୍ଷିତ ଅବସ୍ଥାରେ ରହିଛି। ପୂର୍ବରୁ ଏହି ଗୃହରେ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସହ ଅଙ୍ଗନୱାର୍ଡି କେନ୍ଦ୍ର ଚାଲୁ ରହିଥିଲା। କାଳକ୍ରମେ ଏହି ଗୃହଟିର ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ଗୃହ ନିର୍ମାଣ ହେବାରୁ ସେଠାରେ ପାଠପଢା ଚାଲୁଛି। କିନ୍ତୁ ଅଙ୍ଗନୱାର୍ଡି କେନ୍ଦ୍ରଟି ସେହି ବିପଦସଙ୍କୁଳ ଗୃହରେ ଚାଲୁ ରହିଛି। ଯଦି ଏହି ଗୃହରେ କେନ୍ଦ୍ର ଚାଲୁ ରହିଥିବା ସମୟରେ କିଛି ଅଘଟଣ ଘଟେ ତେବେ ସେଥିପାଇଁ କିଏ ଉତରଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଗ୍ରାମବାସୀ ନାରାୟଣ ମହାରଣା, ଅରୁଣ ମହାରଣା, ବେଣୁଧର ପରିଡା, ବିଜୟ କୁମାର ଦାସ, କୈଳାସ ଦାସ,ଟୁକୁନା ମଲ୍ଲିକ, ଧନେଶ୍ୱର ଲେଙ୍କା, ଦିଲ୍ଲିପ ଲେଙ୍କା,ନାରାୟଣ ପ୍ରଧାନଙ୍କ କହିବା ମୁତାବକ ଏହି ଗ୍ରାମରେ ଦୀର୍ଘ ୩ ବର୍ଷ ହେବ ଅଙ୍ଗନୱାର୍ଡି କେନ୍ଦ୍ର ପାଇଁ ନୂତନ ଗୃହ ନିର୍ମାଣ କରାଯାଇଛି। ହେଲେ ଉକ୍ତ କେନ୍ଦ୍ରଟିକୁ ବ୍ଲକ ପ୍ରଶାସନ ପକ୍ଷରୁ ସିଡିପିଓ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଉନାହିଁ। ଯାହାଫଳରେ ପିଲାମାନେ ଅସୁରକ୍ଷିତ ଗୃହରେ ପାଠ ପଢୁଛନ୍ତି। କେବଳ ସେତିକି ନୁହେଁ ନୂତନ ଭାବେ ନିର୍ମିତ ହୋଇଥିବା କେନ୍ଦ୍ରଟି ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିବା ଯୋଗୁ ଚତୁଃପାଶ୍ୱର୍ରେ ଘାସ ଲତା ମାଟି ଯାଇଛି। ସେହିପରି ରକ୍ଷଣାବେକ୍ଷଣା ଅଭାବରୁ କବାଟ, ଝରକାରେ କଳଙ୍କି ଲାଗି ଗଲାଣି। ତେଣୁ ଏହି ଗୃହକୁ ଅଙ୍ଗନୱାର୍ଡିକୁ ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀ ଓ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ବିଷୟରେ ସିଡିପିଓ ସ୍ୱପ୍ନା ମହାପାତ୍ରଙ୍କୁ ପଚାରିବାରେ କେନ୍ଦ୍ର ହସ୍ତାନ୍ତର ପାଇଁ ବାରମ୍ବାର ବିଡିଓଙ୍କୁ ଚିଠି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା କହିଥିଲେ। ଏବିଷୟରେ ବ୍ଲକର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ବିଜୟ କୁମାର ମଲ୍ଲିକଙ୍କୁ ପଚାରିବାରେ କାହିଁକି କେନ୍ଦ୍ର ହସ୍ତାନ୍ତର କରାଯାଇନାହିଁ ସେ ବିଷୟରେ ପଂଚାୟତ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହୋଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ