ପ୍ରାଣୀ ଚିକିତ୍ସାଳୟକୁ ଆସିବ ହେମାଟୋଲୋଜି ଆନାଲାଇଜର୍‍ ମେସିନ୍‍

ଆସିକା  (ୱାଇଏନ୍‍ଏସ୍‍) : ଆସିକା ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ଗୃହପାଳିତ ପଶୁପକ୍ଷୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇଦେବା ପାଇଁ ଓଡିଶା ସରକାରଙ୍କ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଅତ୍ୟାଧୁନିକ ହେମାଟୋଲୋଜି ଆନାଇଲେଜର୍‍ ମେସିନ୍‍ ଯୋଗାଇଦେବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଅତୀତରେ ପଶୁପକ୍ଷୀଙ୍କ ଚିକିତ୍ସା ପୂର୍ବରୁ ଆବଶ୍ୟକୀୟ ନିଦାନ ହୋଇପାରୁନଥିବା ଯୋଗୁଁ ବିଭିନ୍ନ ସମୟରେ ଜଟିଳ ରୋଗ ଚିହ୍ନଟ କରିବା ଓ ସଠିକ୍‍ ଉପଚାର କରିବା କଷ୍ଟସାଧ୍ୟ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଆସିକା ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟକୁ ଅତିଶୀଘ୍ର ଅତ୍ୟାଧୁନିକ ସୁବିଧାସୁଯୋଗ ଥିବା ହେମାଟୋଲୋଜି ଆନାଲାଇଜର୍‍ ମେସିନ୍‍ ଆସିବ ବୋଲି ଜଣାପଡିଛି । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଥର ପାଇଁ ଆସିକା ସମେତ ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି, ଖଲିକୋଟ, ପୋଲସରା, ପୁରୁଷୋତ୍ତମପୁର, ଭଂଜନଗର, ବୁଗୁଡା, ଜଗନ୍ନାଥପ୍ରସାଦ, ସୋରଡା ଅଞ୍ଚଳରେ ଥିବା ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟକୁ ଏହି ହେମାଟୋଲୋଜି ଆନାଲାଇଜର୍‍ ମେସିନ୍‍ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଅତ୍ୟାଧୁନିକ ସୁବିଧାସୁଯୋଗ ଥିବା ଏହି ହେମାଟୋଲୋଜି ଆନାଲାଇଜର୍‍ ମେସିନ୍‍ ସହାୟତାରେ ବିଭିନ୍ନ ରୋଗରେ ଆକ୍ରାନ୍ତ ପଶୁପକ୍ଷୀଙ୍କ ରୋଗ ନିରୂପଣ କରିବା ସହଜ ହେବ ଏବଂ ପ୍ରାଣୀମାନଙ୍କ ରକ୍ତ ସଂଗ୍ରହ ଠାରୁ ଆରମ୍ଭ କରି ୧୪ଟି ପରୀକ୍ଷା କରାଯିବ । ଏଥିସହିତ ଅସୁସ୍ଥ ପଶୁପକ୍ଷୀମାନେ ଭୂତାଣୁ କିମ୍ବା ଜୀବାଣୁ ଜନିତ ରୋଗରେ ଆକ୍ରନ୍ତ ହୋଇଛନ୍ତି କି ନାହିଁ ତାହା ସହଜରେ ସ୍ପଷ୍ଟ ହୋଇପାରିବ । ରାଜ୍ୟ ସରକାରଙ୍କ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଆସିକା ପ୍ରାଣୀ ଚିକିତ୍ସାଳୟକୁ ଏହି ହେମାଟୋଲୋଜି ଆନାଲାଇଜର୍‍ ମେସିନ୍‍ ଯୋଗାଇଦେବା ପାଇଁ ସ୍ଥିରୀକୃତ ହୋଇଥିବା ଖବର ପ୍ରଘଟିତ ହେବା ପରେ ବହୁ ପ୍ରାଣୀ ଓ ପକ୍ଷୀପଶୁପାଳକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଗୋପାଳକ, ଛେଳିପାଳକ, କୁକୁଡାପାଳକଙ୍କ ସମେତ ବିଭିନ୍ନ ଯୋଜନାରେ ଲୋକଙ୍କୁ ଦିଆଯାଉଥିବା ସୁବିଧାସୁଯୋଗର ପ୍ରଚାର ଓ ପ୍ରସାର ଏବଂ ସଫଳ ରୂପାୟନ ପାଇଁ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା ଓ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀଙ୍କ ନେତୃତ୍ୱରେ ଆସିକା ଏନ୍‍ଏସି ସମେତ ହରିଡାପଦର, ନଳବଣ୍ଟା, ଗହଙ୍ଗୁ, ଭେଟନଇ, ବାବନପୁର, ଗୁଣ୍ଠପଡା, ବାଲିଛାଇ, ସିଦ୍ଧନଇ, ନିମିନା, ଖୁକୁଣ୍ଡିଆ, ବାଲିସିରା ସମେତ ବିଭିନ୍ନ ଗ୍ରାମାଞ୍ଚଳକୁ ପ୍ରାଣୀଧନ ନୀରିକ୍ଷକ ସ୍ମୃତିରଂଜନ ବିଶ୍ୱାଳ, ସୁଦର୍ଶନ ନାୟକ, ପିୟାଜନ କହଁର, ସସ୍ମିତା ପଣ୍ଡା, ସୁଶାନ୍ତ ଡାକୁଆ, ଆଲୋକ ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ