ଗୋପାଳପୁର ବେଳାଭୂମି ମହୋତ୍ସବକୁ ବିଶ୍ଵସ୍ତରକୁ ନେବା ପାଇଁ ବ୍ୟାପକ ପ୍ରସ୍ତୁତି: ବିଭୁତି ଜେନା
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଚଳିତ ମାସ ୨୭ ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବହୁପ୍ରତିକ୍ଷୀତ ଗୋପାଳପୁର ବେଳାଭୂମି ମହୋତ୍ସବକୁ ମହାସମାରୋହରେ ପାଳିତ କରାଯିବ। ମହୋତ୍ସବ କିପରି ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗୋପାଳପୁର ସର୍କିଟ ହାଉସରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗୋପାଳପୁର ବେଳାଭୂମି ମହୋତ୍ସବକୁ ସଂସ୍କୃତି, ସାମୂହିକ ଅଂଶଗ୍ରହଣ, ପର୍ଯ୍ୟଟନ ପ୍ରଚାର, କ୍ରୀଡା, ଆଧ୍ୟାତ୍ମିକତା ଏବଂ ପରିବେଶୀୟ ସ୍ଥାୟୀତ୍ୱର ଏକ ବୃହତ୍ ଉତ୍ସବ ଭାବେ ଆୟୋଜନ କରାଯାଉଛି, ଯାହା ଗୋପାଳପୁରକୁ ବିଶ୍ଵସ୍ତରରେ ଏକ ଆକର୍ଷଣୀୟ ସମୁଦ୍ରତଟୀୟ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଚିତ କରିବ ବୋଲି ମନ୍ତ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି, ଚାରି ଦିନର ସାଂସ୍କୃତିକ ମଞ୍ଚ ଗଞ୍ଜାମର ବିଭିନ୍ନ ବରପୁତ୍ରଙ୍କ ନାମରେ ନାମିତ ହେବା ସହ ମହୋତ୍ସବର ଉଦ୍ଘାଟନ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହୋତ୍ସବର ଉତ୍ସବମୟ ସମାପନ ହେବ ବୋଲି ସେ ସୂଚନା ଦେଇଛନ୍ତି, ସାମ୍ବାଦିକ ସମ୍ମିଳନୀ ପରେ ମନ୍ତ୍ରୀ ଜେନା ବେଳାଭୂମି ପରିଦର୍ଶନରେ ଯାଇ ସମସ୍ତ ପ୍ରସ୍ତୁତି ବିଷୟରେ ଅବଗତ ହୋଇଥିଲେ ଏବଂ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମହୋତ୍ସବ ଯେମିତି ସାମାନ୍ୟତମ ତ୍ରୁଟି ଦେଖା ନ ଯାଏ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ କହିଛନ୍ତି, ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସନ ଜ଼ିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସଂଗଠନର ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ସେହିପରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା ସରବଣା ବିବେକ ଏମ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ କଣ ସବୁ ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଅତିରିକ୍ତ ଜ଼ିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା ବ୍ରହ୍ମପୁର ଉପଜ଼ିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ, ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ଏବଂ ବୃହତ୍ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରାରମ୍ଭିକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଇଛି, ଗୋପାଳପୁର ଜଙ୍କସନ ଠାରୁ ଗୋପାଳପୁର ବେଳାଭୂମି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ୧୦ କି.ମି. ରାସ୍ତା ଧାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି, ଯାହା ହରିତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ, ୨୪ ଜାନୁଆରୀ ୨୦୨୬ ତାରିଖରେ ଗଞ୍ଜାମ ଜିଲ୍ଲାର ସମ୍ପୂର୍ଣ୍ଣ ସମୁଦ୍ରତଟ ଅଞ୍ଚଳରେ, ଇନ୍ଦିରା ବେଳାଭୂମି ଗଞ୍ଜାମ ଠାରୁ ଚିକିଟି ବ୍ଲକ୍ ଅନ୍ତର୍ଗତ ସୋନାପୁର ବେଳାଭୂମି ପର୍ଯ୍ୟନ୍ତ, ଏକ ବିଶାଳ ସମୁଦ୍ରତଟ ସଫାଇ ଅଭିଯାନ ଚାଲିବ, ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ସିଭିଲ ସୋସାଇଟି ସଦସ୍ୟ, ସ୍ବେଛାସେବୀ ଏବଂ ବିଭିନ୍ନ ସାମାଜିକ ସଂଗଠନ ସମୁହଗତ ଭାବେ ଅଂଶଗ୍ରହଣ କରିବେ, ୨୫ ଜାନୁଆରୀ ୨୦୨୬ ତାରିଖରେ ଏକ ମେଗା ମାରାଥନ ଆୟୋଜିତ ହେବ, ଯେଉଁଥିରେ ପ୍ରାୟ 1200 ଜଣ ଧାବକ ଅଂଶଗ୍ରହଣ କରିବାର ଆଶା ରହିଛି। ପୁରୁଷ ଓ ମହିଳା ବର୍ଗର ଶ୍ରେଷ୍ଠ ୩ ଜଣ ବିଜେତାଙ୍କ ପାଇଁ ନିମ୍ନୋକ୍ତ ପୁରସ୍କାର ରାଶିର ବ୍ୟବସ୍ଥା ହୋଇଛି ପ୍ରଥମ: ୧୨,୦୦୦ ଟଙ୍କା, ଦ୍ୱିତୀୟ: ୮,୦୦୦ ଟଙ୍କା, ତୃତୀୟ: ୫,୦୦୦ ଟଙ୍କା ମେଗା ମାରାଥନ ସମାପ୍ତ କରୁଥିବା ସମସ୍ତ ଧାବକଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯିବ, ମା ତାରାତାରିଣୀ ମନ୍ଦିର ପୁରୁଷୋତ୍ତମପୁର, ମା ବାଳକୁମାରୀ ମନ୍ଦିର ଚିକିଟି ଏବଂ ଭଞ୍ଜନଗର ନିକଟସ୍ଥ ମା କୁଲାଡ ଦେବୀ ମନ୍ଦିରରୁ ଏକାସାଥିରେ ଏକ ମଶାଲ ଶୋଭାଯାତ୍ରା ଆରମ୍ଭ ହେବ। ମନ୍ଦିର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଦେଇ ଏହି ଶୋଭାଯାତ୍ରା ଗୋପାଳପୁର ବେଳାଭୂମିରେ ଏକତ୍ରିତ ହେବ, ଯେଉଁଠାରେ ସମୁଦ୍ର ଆଳତୀ ସହିତ ମହୋତ୍ସବର ଉଦ୍ଘାଟନ ହେବ, ସମୁଦ୍ର ଆଳତୀ, ଲେଜର ଶୋ ଓ ଗୁଡ଼ି ଉଡାଣ ଭଳି ବିଶେଷ ଆକର୍ଷଣ ମହୋତ୍ସବର ଗାରିମା ବଢ଼ାଇବ, ପ୍ରଥମଥର ପାଇଁ ଗୋପାଳପୁର ବେଳାଭୂମି ମହୋତ୍ସବରେ ୩ ଦିନିଆ ବେଳାଭୂମି କ୍ରୀଡା ଆୟୋଜିତ ହେବ, ଯାହାର ମଧ୍ୟରେ ବେଳାଭୂମି ଫୁଟବଲ, ବେଳାଭୂମି କବାଡି, ବେଳାଭୂମି ଭଲିବଲ, ବେଳାଭୂମି ହ୍ୟାଣ୍ଡବଲ, ଟଗ୍ ଅଫ୍ ୱାର, ଯୋଗ, କରାଟେ, ମନୋରଞ୍ଜନାତ୍ମକ ଓ ବିନୋଦନ କ୍ରୀଡା, ଏହି କ୍ରୀଡା କାର୍ଯ୍ୟକ୍ରମ ପାଇଁ ମୋଟ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ନିର୍ଦ୍ଧାରିତ ହୋଇଛି, ଅଂଶଗ୍ରହଣକାରୀମାନଙ୍କୁ ଟି-ଶର୍ଟ, ଜଳଖିଆ, ଅଂଶଗ୍ରହଣ ପ୍ରମାଣପତ୍ର ଏବଂ ମଞ୍ଚରେ ସମ୍ମାନ ଦିଆଯିବ, ପ୍ରାୟ ୨୫୦ଟି ଷ୍ଟଲ ସହିତ ଏକ ବୃହତ୍ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବ, ଯେଉଁଠାରେ ସମଗ୍ର ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଉଦ୍ୟୋଗ, ହସ୍ତଶିଳ୍ପ ଓ ହସ୍ତତନ୍ତ ୟୁନିଟ ଏବଂ ସ୍ଥାନୀୟ ବ୍ୟବସାୟୀମାନଙ୍କ ଉତ୍ପାଦ ପ୍ରଦର୍ଶିତ ହେବ, ସେନା ଏୟାର ଡିଫେନ୍ସ କଲେଜ, ଗୋପାଳପୁର, ଆଇଆରଇଏଲ, ଗୋପାଳପୁର ପୋର୍ଟ ଓ ଅନ୍ୟାନ୍ୟ ସରକାରୀ ବିଭାଗ ଓ ସଂସ୍ଥାମାନଙ୍କର ଷ୍ଟଲ ମାଧ୍ୟମରେ ଫ୍ଲାଗ୍ଶିପ୍ ଯୋଜନା ଏବଂ ସଫଳତା ପ୍ରଦର୍ଶିତ ହେବ, ଦର୍ଶନାର୍ଥୀମାନଙ୍କ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ଟି ଖାଦ୍ୟ ଷ୍ଟଲରେ ବିବିଧ ସ୍ୱାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧ ହେବ, ୨୭ ଜାନୁଆରୀରେ ମହାମହିମ ରାଜ୍ୟପାଳ ଏବଂ ୩୦ ଜାନୁଆରୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସହିତ, ଚାରି ଦିନିଆ ଏହି ବୃହତ୍ କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ମାନ୍ୟବର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଗଞ୍ଜାମ ଜିଲ୍ଲାର ପିଆରଆଇ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହିବେ, ମହୋତ୍ସବରେ ଗଞ୍ଜାମ ଜିଲ୍ଲାର ପରମ୍ପରାଗତ କଳାରୂପ ଯଥା ଦାସକାଠିଆ , ପାଲା , ଘଣ୍ଟ ମୃଦଙ୍ଗ, ରଣପା, ପ୍ରହ୍ଲାଦ ନାଟକ, ରାମଲୀଳା ,ରାଧାପ୍ରେମ ଲୀଳା ଏବଂ ଧୁମ୍ପା ସହିତ ସ୍ଥାନୀୟ ସାଂସ୍କୃତିକ ଦଳ, ଯୁବକ-ଯୁବତୀ ଏବଂ ନବ ପ୍ରତିଭାମାନଙ୍କ ଦ୍ୱାରା ପ୍ରଦର୍ଶନୀ ହେବ। ଏହା ସହିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାଗା ନୃତ୍ୟ ପୁରୀ, କୁଇ ନୃତ୍ୟ କନ୍ଧମାଳ, ଗୋଟିପୁଆ ପୁରୀ, ଘୁମୁରା କଳାହାଣ୍ଡି, ଢେମସା କୋରାପୁଟ ଓ ଘୁଡକା ବଲାଙ୍ଗିର ମଧ୍ୟ ପ୍ରଦର୍ଶିତ ହେବ, ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ସାଂସ୍କୃତିକ ଦଳମାନେ ଆସାମର ବିହୁ, ରାଜସ୍ଥାନର କାଲବେଳିଆ ଓ ଘୁମର, କେରଳର ଚେଣ୍ଡା ମେଳମ ଓ କଥକଳୀ, ଏବଂ ପୁରୁଲିଆ ଛଉ ଉପସ୍ଥାପନ କରିବେ, ମହୋତ୍ସବରେ ଜାତୀୟ ଓ ରାଜ୍ୟସ୍ତରୀୟ ଖ୍ୟାତିସମ୍ପନ୍ନ କଳାକାରମାନଙ୍କ ସହିତ ଷ୍ଟାର ନାଇଟ୍ସ ଆୟୋଜିତ ହେବ, ଯେଉଁଥିରେ ବି ପ୍ରାକ, କୁଲଦୀପ ପଟ୍ଟନାୟକ, ଅନନ୍ୟା ସୃତମ, ରାହୁଲ ସିପ୍ଲିଗୁଞ୍ଜ, ମୈଥିଲୀ ଠାକୁର, କୈଳାଶ ଖେର, ଋତୁରାଜ, ବର୍ଣ୍ଣାଲୀ ହୋତା ଓ ଅନ୍ୟାନ୍ୟ କଳାକାରମାନେ ପ୍ରଦର୍ଶନ କରିବେ, ୨୯ ଜାନୁଆରୀ ୨୦୨୬ ତାରିଖରେ ଏକ ବିଶେଷ ଆକର୍ଷଣ ଭାବେ ଓଲିଉଡ୍ ନାଇଟ୍ ଆୟୋଜିତ ହେବ, ଯେଉଁଥିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଗ୍ରଣୀ କଳାକାରମାନେ, ଓଡ଼ିଶା ସିନେ ଆର୍ଟିଷ୍ଟ୍ସ ଆସୋସିଏସନର ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ୨୭ ଜଣ ପ୍ରମୁଖ ଓଲିଉଡ୍ କଳାକାରଙ୍କ ସହିତ ଓଡ଼ିଆ ସିନେମାର ଐତିହ୍ୟକୁ ଉଦ୍ଯାପନ କରାଯିବ, ମହୋତ୍ସବର ସୁରକ୍ଷା, ନିୟନ୍ତ୍ରଣ ଏବଂ ସୁଚାରୁରୂପେ ଆୟୋଜନ ପାଇଁ ପୋଲିସ, ଅଗ୍ନିଶମ ସେବା, ପୂର୍ତ୍ତ ବିଭାଗ ଏବଂ ରାଜସ୍ବ ପ୍ରଶାସନ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରାଯାଉଛି।


