ଅଭିଶପ୍ତ ଗାଁ କଦମଝୋଲା ପୋଲ ଓ ରାସ୍ତା ସାତସପନ, ଚୁଆ ପାଣି ଭରସା
ଚିତ୍ରକୋଣ୍ଡା,(ଡଃ ଶିବ ନାରାୟଣ ପାତ୍ର): ଚିତ୍ରକୋଣ୍ଡା ବ୍ଲକ ବଡ଼ପଡ଼ର ପଞ୍ଚାୟତର କଦମଝୋଲା ଗ୍ରାମବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି। ଗାଁକୁ ରାସ୍ତା ନଥିବା ବେଳେ ନାଳରେ ପୋଲ ନିର୍ମାଣ ହୋଇନଥିବାରୁ ଯାତାୟାତ ସମୟରେ ଲୋକେ ହଇରାଣ ହେଉଛନ୍ତି। ଚୁଆ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି ବାରମ୍ବାର ଗୁହାରି ପରେ ମଧ୍ୟ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପଞ୍ଚାୟତ ସଦରରୁ ୧୦ କିମି ଓ ବ୍ଳକ ସଦର ମହକୁମାରୁ ୧୨କିମି ଦୂରରେ ଥିବା ଏହି ଗାଁରେ ୫୦ବର୍ଷରୁ ଊର୍ଦ୍ଧ ଦିନ ହେଲା ୨୫ଟି ପରିବାର ରହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଗ୍ରାମବାସୀ ବିପଦପୂର୍ଣ୍ଣ ଭାବେ ନାଳ ପାର ହୋଇ ଦୈନନ୍ଦିନ କାର୍ଯ୍ୟରେ ବଡ଼ପଦର ଓ ଚିତ୍ରକୋଣ୍ଡା ଯାଉଛନ୍ତି। ବର୍ଷାଦିନେ ସମସ୍ୟା ଦ୍ବିଗୁଣିତ ହୋଇ ଯାଉଛି। ନାଳରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଲୋକେ ଏକପ୍ରକାର ଜଳବନ୍ଦି ଜୀବନ ବିତାଇଥାନ୍ତି। ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି। ଅନେକ ସମୟରେ ନାଳ ପାର ହେବା ସମୟରେ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି । ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ଚୁଆର ଦୂଷିତ ପାଣିକୁ ପାଇପ୍ ଯୋଗେ ଗାଁକୁ ଆଣି ବ୍ୟବହାର କରୁଛନ୍ତି। କିନ୍ତୁ ବର୍ଷାଦିନେ ଚୁଆ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ପ୍ରଶାସନ ପକ୍ଷରୁ ଦୂଷିତ ଚୁଆ ପାଣିକୁ ପାଇପ୍ ଯୋଗେ ଗାଁରେ ପହଞ୍ଚାଇବା ପାଇଁ କାମ ଚାଲିଛି। କିନ୍ତୁ ଏହି କାମ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ସମସ୍ୟା ନେଇ ସରପଞ୍ଚ ଓ ପ୍ରଶାସନକୁ ଅବଗତ କରାଯିବା ପରେ ମଧ୍ୟ ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି


