ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା: ବାଲେଶ୍ୱର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର,(ସରୋଜ ପଣ୍ଡା): ସଂପ୍ରତି ରାଜ୍ୟ ସରକାରଙ୍କ ଚାଷୀମାରଣ ଏବଂ ବିଭିନ୍ନ ଜନବିରୋଧୀ ନିଷ୍ପତ୍ତିର ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଦାବିକୁ ସମର୍ଥନ ଜଣାଇ ନବନିର୍ମାଣ କୃଷକ ସଂଗଠନ ଏବଂ ଚାଷୀ ଏକତା ମଞ୍ଚ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଅଛି। ଆଜିର ଏହି ବନ୍ଦ ହରତାଳକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନୈତିକ ସମର୍ଥନ ଜଣାଇଥିବାରୁ ଆଜି ବାଲେଶ୍ୱର ଜିଲ୍ଲାରେ କିଷାନ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ରାଜ୍ୟ ଉପସଭାପତି ଅରୁଣ ଜେନା, ରାଜ୍ୟ ମୁଖପାତ୍ର ତୁଷାରକାନ୍ତି ମହାପାତ୍ର, ନବନିର୍ମାଣ କୃଷକ ସଂଗଠନ ବାଲେଶ୍ୱର ଜିଲ୍ଲା ଆବାହକ ବିଧାନଚନ୍ଦ୍ର ରାୟ, ଚାଷୀ ଏକତା ମଞ୍ଚ ଜିଲ୍ଲା ଆବାହକ ବିଜୟ ନାୟକ, ଚାଷୀ ନେତା ସୁରଜିତ୍ ପୋଥାଳ, ଆଲୋକ ଦାସ, ମହିଳା କଂଗ୍ରେସର ରାଜ୍ୟ ସଂପାଦିକା ପ୍ରତିମା ପଣ୍ଡା, ସୁରେଶ ବେହେରା, ପ୍ରଜ୍ଞାପାରମିତା ବିଶ୍ୱାଳ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିିନିଧି ଦଳ ଏ.ଡି.ଏମ୍. ରେଭିନ୍ୟୁ ହେମନ୍ତ କୁମାର ସିଂହଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି କି ଧାନ କିଣାରେ ଅବ୍ୟବସ୍ଥା ଓ ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ ନିଷ୍ପତ୍ତିର ପ୍ରତ୍ୟାହାର, ସରକାର ଚାଷୀର ସମସ୍ତ ବଳକା ଧାନକୁ ୮୦୦ ଟଙ୍କା ଇନ୍ପୁଟ୍ ସବସିଡ଼ି ଦେଇ କ୍ୱିଣ୍ଟାଲ୍ ପିଛା ୩୧୬୯ ଟଙ୍କାରେ କିଣିବା, ଚାଷୀଙ୍କୁ ଟୋକନ୍ ପ୍ରଦାନ କରିବାରେ ଚରମ ଅବହେଳା, କଟନୀ-ଛଟନୀ ବନ୍ଦ କରିବା, ଚାଷୀଙ୍କୁ ଅଖାର ମୂଲ୍ୟ ଦେବା ସହ ଧାନ ପରିବହନ ଖର୍ଚ୍ଚ ସରକାର ମଞ୍ଚୁର କରିବା, ଗଚ୍ଛିତ ଥିବା ଧାନକୁ ତୁରନ୍ତ ମଣ୍ଡିରୁ କିଣିନେଇ ଚାଷୀଙ୍କୁ ନ୍ୟାୟ ଦେବା, ଚାଷୀଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣାରେ ବିଜୁଳି ପ୍ରଦାନ କରିବା, ବିଜୁଳି ତାରିଫ ଲଗାଇ – ଟାଟା ପାୱାରର ମନମାନୀ ଦ୍ୱାରା ରାଜ୍ୟର ୧କୋଟି ୭୫ ଲକ୍ଷ ଲୋକଙ୍କୁ ଶୋଷଣ କରିବା ସାଂଗକୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ତୁରନ୍ତ କରାଯାଇ ଓଡ଼ିଶାର ଗରିବ ଜନଗଣ ଓ ଚାଷୀକୁଳକୁ ନ୍ୟାୟ ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।


