କରୁଣାମୟୀ ମା ତାରାଦେବୀ ବିଗ୍ରହଙ୍କ ନଗର ପରିକ୍ରମା ମହୋତ୍ସବ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତର କର୍ଣ୍ଣୋଳି ଗ୍ରାମ ସ୍ଥିତ ନିଗମାନନ୍ଦ ଯୋଗାଶ୍ରମର ପାହାଡ ନିକଟରେ ବିରାଜମାନ ହେବାକୁ ଥିବା କରୁଣାମୟୀ ମା ତାରାଦେବୀ ବିଗ୍ରହଙ୍କ ନଗର ପରିକ୍ରମା ମହୋତ୍ସବ ରବିବାର ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଶତାଧିକ ପୁରୁଷ ଓ ମହିଳା ଆଧ୍ୟାତ୍ମିକପ୍ରେମୀ ଭକ୍ତଙ୍କ ଗହଣରେ ବାଦ୍ୟବାଜଣାରେ ତାଳେତାଳେ ଅନୁଷ୍ଠିତ ହୋଇଯାଇଛି । କର୍ଣ୍ଣୋଳି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗଶ୍ରମର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମା ତାରାଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋର୍ସୋରରେ ଆଗେଇ ଚାଲିଥିଲା ବେଳେ ଏହି ଅବସରରେ ମା ତାରାଦେବୀଙ୍କ ଅତି ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି । ଜଗତ୍ଜନନୀ, ଦୁର୍ଗତୀନାଶିନୀ, ବିପଦହାରିଣୀ, କରୁଣାମୟୀ, କଲ୍ୟାଣମୟୀ, ଅଭୟଦାୟିନୀ, କୃପାମୟୀ, ବିପଦନାଶିନୀ ମା ତାରାଦେବୀଙ୍କ ବିଗ୍ରହକୁ ଏକ ସୁସଜ୍ଜିତ ଯାନରେ ଅଧିଷ୍ଠିତ କରାଯାଇ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତର କର୍ଣ୍ଣୋଳି, ଖଣ୍ଡଦେଉଳି, ନୁଆଗାଁ, ସମେଇଗୁଡା, ସିମାଖାଇ ଏବଂ ନଳବଣ୍ଟା ଗ୍ରାମ ପଞ୍ଚାୟତର ଖଡଭାଗ, ଚେରମାରିଆ ଓ ନଳବଣ୍ଟା ଗ୍ରାମକୁ ପରିକ୍ରମା କରାଯାଇଥିଲା । ମା ତାରାଦେବୀ ବିଗ୍ରହଙ୍କ ନଗର ପରିକ୍ରମା ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ପ୍ରେମ ଓ ଭକ୍ତିର ମହାମେଳନ ଦେଖିବାକୁ ମିଳିଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ନିଗମାନନ୍ଦ ଯୋଗାଶ୍ରମର ସଭାପତି ବିଶ୍ୱନାଥ ବିଷୋୟୀ, ଉପସଭାପତି ବାହାନପତି ସ୍ୱାଇଁ, ସଂପାଦକ ବିଜୟ କୁମାର ସ୍ୱାଇଁ, ଉପଦେଷ୍ଟା ପ୍ରଶାନ୍ତ କୁମାର ପଣ୍ଡା, ଆଧ୍ୟାତ୍ମିକପ୍ରେମି ପ୍ରମୋଦ କୁମାର ସ୍ୱାଇଁ, ଜିତେନ୍ଦ୍ର କୁମାର ବିଷୋୟୀ, ପ୍ରଣବ କୁମାର ବିଷୋୟୀ, ରାଜୀବଲୋଚନ ସ୍ୱାଇଁ, ବସନ୍ତ କୁମାର ଭୂୟାଁ, ପ୍ରଫୁଲ କୁମାର ବେହେରା, କିଶୋର ଚନ୍ଦ୍ର ଭୂୟାଁ, ବାଉରିବନ୍ଧୁ ଗୌଡ, ଅନନ୍ତ ବିଷୋୟୀ, ବିଭୁତି ଭୂଷଣ ଭୂୟାଁ, ଆର୍.ଗୁରୁନାଥ ରେଡି, ଆର୍.କୃଷ୍ଣମୂର୍ତ୍ତି ରେଡି, ବିବେକାନନ୍ଦ ପ୍ରଧାନ, କାହ୍ନୁଚରଣ ବିଷୋୟୀ, ବିଶ୍ୱନାଥ ବିଷୋୟୀ (ସାନ), ହୃଷିକେଶ ଭୂୟାଁଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ଭକ୍ତ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


