ଗଛରୁ ଯୁବକଙ୍କ ହାତବନ୍ଧା ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ଗ୍ରାମରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ହାତବନ୍ଧା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଉଛନ୍ତି ବିକାଶ ମହାନ୍ତି। ସେ ଜଣେ ଡ୍ରାଇଭର ଥିଲେ। ବିକାଶଙ୍କ ପତ୍ନୀ ବର୍ଷା ଅଭିଯୋଗ କରୁଛନ୍ତି ଯେ ତାଙ୍କ ସ୍ୱାମୀକୁ କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଛି। ତାଙ୍କ ସ୍ୱାମୀଙ୍କର ଜଣେ ଯୁବକଙ୍କ ସହ ପୂର୍ବରୁ ଶତ୍ରୁତା ଥିଲା। ଏହାକୁ ନେଇ ମାଡପିଟ ଘଟଣା ମଧ୍ୟ ଘଟିଥିଲା। ଏପରିକି ଏହି ମାଡପିଟ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କ ସ୍ୱାମୀ କିଛିଦିନ ପାଇଁ ଜେଲ ଯାଇଥିଲେ। ହେଲେ ଜେଲରୁ ଫେରିବା ପରେ ତାଙ୍କୁ ହତ୍ୟା କରିବା ପାଇଁ ବିପକ୍ଷ ଗୋଷ୍ଠୀ ଯୋଜନା କରୁଥିଲା। ‘ତାଙ୍କ ସ୍ୱାମୀଙ୍କୁ କିଏ ମାରି ଦେଇଛି’ ବୋଲି ପତ୍ନୀ ଗଣମାଧ୍ୟମକୁ କହିଛନ୍ତି। ଯିଏ ମୋ ଧନକୁ ମାରିଛି ମୁଁ ତାକୁ ଛାଡିବି ନାହିଁ। ମୁଁ ମୋ ସ୍ୱାମୀ ହତ୍ୟାର ପ୍ରତିଶୋଧ ନେବି ବୋଲି ପତ୍ନୀ ବର୍ଷା କହିଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏନେଇ ପୋଲିସ ଥାନା କେଶ ନମ୍ବର -୧୬/୨୦୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଶବ ବ୍ୟବଛେଦ ପରେ ପରିବାରକୁ ମୃତକ ବିକାଶଙ୍କ ଶବ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।ଅନ୍ୟ ପକ୍ଷରେ ମୃତ ବିକାଶଙ୍କ ପିତା ଆଲୋକ ମହାନ୍ତି ତାଙ୍କ ପୁଅ ବିକାଶ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଥାନାଧିକାରୀ ପଦ୍ମାଳୟା ପ୍ରଧାନ ସୂଚନା ଦେଇଛନ୍ତି।


