ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ପପୁ ପମପମଙ୍କ କମେଡି ଏବଂ ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ
ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ମହାଆଡମ୍ବରରେ ଚାଲିଛି। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସୁପ୍ରସିଦ୍ଧ ହାସ୍ୟକଳାକାର ପପୁ ପମପମଙ୍କ ମନମତାଣିଆ କମେଡି ଏବଂ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ‘ରାଣୀ ଗୁରୀ’, ‘ଦିଲ୍ କି ରାଣୀ’, ‘ରସିଆ’ ଓ ‘ହଇ ଗୋ’ ଗୀତରେ ଦର୍ଶକ ଓ ଶ୍ରୋତାମାନେ ବିଭୋର ହୋଇଥିଲେ। ସାନ୍ଧ୍ୟ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଶ୍ରୀ ନାୟକ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା,ଛତ୍ରପୁର ବ୍ଲକ ଉପାଧ୍ୟାକ୍ଷା ଏସ. ଶାରଦା ରେଡ୍ଡୀ, ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ୧୯ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ସୁନୀଲ କେରକେଟା, ବ୍ରହ୍ମପୁର ମହାନଗର ନିଗମର କମିଶନର ଅକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଆଇ ଏ ଏସ ପ୍ରୋବାସେନର ସୁଶ୍ରୀ ସରନ୍ୟା, ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଅତିଥି ଭାବେ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କରିବା ସହିତ ସମସ୍ତ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ସହିତ ଅନ୍ୟମାନଙ୍କୁ ଏ ମହୋତ୍ସବର ବିଭିନ୍ନ ଆୟୋଜନ ବିଷୟରେ ଜଣାଇବା ପାଇଁ କହିଥିଲେ । ଛତ୍ରପୁର ବିଧାୟକ ଶ୍ରୀ ନାୟକ ଛତ୍ରପୁର ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ।


