ଯୌତୁକ ଦାବୀରେ ବଧୂ ହତ୍ୟା : ସ୍ବାମୀ ଅଟକ
ଦିଗପହଣ୍ଡି ,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲି ଗ୍ରାମରେ ଅଧିକ ଯୌତୁକ ଦାବୀରେ ବଧୂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ବଧୂ ଜଣକ ଅଜିତ୍ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟା ବିଷୋୟୀ ବୋଲି ଜଣାପଡିଛି।ଗତ ୨୦୨୧ ସାଲରେ କୁକୁଡ଼ାଖଣ୍ଡି ବ୍ଲକ ଲାଠି ଗ୍ରାମର କାଳିଆ ସ୍ବାଇଁଙ୍କ ଝିଅ ସନ୍ଧ୍ୟା ଜକରାପଲି ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ପୁଅ ଅଜିତକୁ ବିବାହ କରିଥିଲେ।ବିବାହର କିଛି ଦିନ ସୁଖ ଶାନ୍ତିରେ କଟିବା ପରେ ଅଧିକ ଯୌତୁକ ଦାବୀ କରି ସ୍ବାମୀ ଓ ଶ୍ବଶୁର ଘର ଲୋକେ ସନ୍ଧ୍ୟା ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।ଫଳରେ ସନ୍ଧ୍ଯାଙ୍କୁ ପ୍ରାୟତଃ ବାପାଘରେ ରହିବାକୁ ପଡୁଥିଲା। ବାହାରେ ଦାଦନ ଖଟିବାକୁ ଯାଇଥିବା ଅଜିତ୍ ନିଜ ଗାଁକୁ ଫେରିବା ପରେ ତାଙ୍କ ସ୍ତ୍ରୀ ଙ୍କୁ ଆଣି ଘରେ ଛାଡ଼ିବାକୁ ଶ୍ବଶୁର ଘର ଲୋକଙ୍କୁ ଅନୁରୋଧ କରିଥିଲେ। ଯଦ୍ୱାରା ସନ୍ଧ୍ୟା ଗତ ୧ ତାରିଖ ରେ ଜକରାପଲି ଫେରିଥିଲେ। ତେବେ ପୁଣି ଥରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଇ ଜୋର ଜବରଦସ୍ତ ବିଷ ଖୁଆଇ ଦିଆ ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବୁଧବାର ପୂର୍ବାହ୍ନରେ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ବେଳେ ଉପସ୍ଥିତ ଡାକ୍ତର ସନ୍ଧ୍ଯାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ସନ୍ଧ୍ୟା ଙ୍କ ମା’ ସବିତା ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ସେହି ଅଭିଯୋଗ ଭିତ୍ତିରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଥାନାଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କେସ ନଂ. ୩୯/୨୬ ପ୍ରକାରେ ଏକ ମାମଲା ରୁଜୁ କରି ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ଏହି ଘଟଣାରେ ସନ୍ଧ୍ୟାଙ୍କ ସ୍ବାମୀ ଅଜିତକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଅପରପକ୍ଷରେ ସନ୍ଧ୍ୟା ନିଜେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକେ କହିଛନ୍ତି।


