ବାଲିସିରାରେ ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) :ଓଡିଶା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶ ସାଙ୍ଗକୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଆସନ୍ତା ଶିକ୍ଷାବର୍ଷ ୨୦୨୬-୨୭ରୁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମ ବଦଳିବା ସାଙ୍ଗକୁ ସିଲାବସ୍ ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରକାଶିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୧୩ଟି କ୍ଳଷ୍ଟର ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍ ପ୍ରଦାନ କରାଯାଉଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପଞ୍ଚଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ପ୍ରଶିକ୍ଷଣ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଗାମୀ ଦିନରେ ନିଜ ନିଜ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସହଜ ଓ ସରଳ ଭାବେ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷକ ରୂପେ ଶୁଭେନ୍ଦୁ ଶେଖର ଜେନା, ରଂଜିତା ପାତ୍ର, ମନୋଜ କୁମାର ତ୍ରିପାଠୀ, ଶିବଶଙ୍କର ସ୍ୱାଇଁ ଯୋଗଦେଇ ଶିକ୍ଷକମାନଙ୍କୁ ତାଲିମ୍ ପ୍ରଦାନ କରିଥିଲା ବେଳେ ଉଦ୍ଯାପନୀ ଦିବସରେ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ମାନପତ୍ର ବଣ୍ଟନ କରାଯାଇଥିଲା । ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୫ଟି ପାଠ୍ୟପୁସ୍ତକକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି । ପୂର୍ବରୁ ଛାତ୍ରଛାତ୍ରୀମାନେ ୬ ପ୍ରକାର ପାଠ୍ୟକ୍ରମକୁ ଆଧାର କରି ପାଠ ପଢୁଥିଲେ । ଆଗାମୀ ଶିକ୍ଷାବର୍ଷରୁ ୯ ପ୍ରକାର ପାଠ୍ୟକ୍ରମ ବିଷୟ ଉପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀମାନେ ପାଠ ପଢିବେ ବୋଲି ଜଣାପଡିଛି । ଜାତୀୟ ଶିକ୍ଷାନୀତି-୨୦୨୦ ଏବଂ ଭାରତୀୟ ଜ୍ଞାନ ପରମ୍ପରା, ବିଷୟ ଭିତ୍ତିକ ଭାଷାର ପଠନ, ବୃତ୍ତିଗତ ଓ ଶାରୀରିକ ଶିକ୍ଷା ଏବଂ ସ୍ୱଚ୍ଛତା ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା ।


