କରଗୋଳା ଗ୍ରାମରେ ରାସ୍ତା କାମକୁ ନେଇ ବିବାଦ, ଗ୍ରାମବାସୀଙ୍କ ଧାରଣା ୧୪ ଦିନରେ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ କରଗୋଳା ଗ୍ରାମରେ ରାସ୍ତା କାମକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ ଗୋଟିଏ ଗୋଷ୍ଠୀର ଲୋକମାନେ କାମ ବନ୍ଦ କରାଇ ୧୪ଦିନ ହେଲା ଧାରଣାରେ ବସିଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ କରଗୋଳା ଗ୍ରାମକୁ  ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇ ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆ ଯାଇଛି। ପଣ୍ଡା ସାହି ଠାରୁ ସ୍କୁଲ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ନିର୍ମାଣ ବେଳେ ବିବାଦ ଉପୁଜୁଛି। ଏହି ରାସ୍ତା ନିର୍ମାଣ ପାଇଁ କନିଷ୍ଠଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଏ ବାବଦରେ ଗ୍ରାମବାସୀଙ୍କୁ କୌଣସି ସୂଚନା ଦିଆ ଯାଇନଥିବା ବେଳେ  କୌଣସି ସୂଚନା ଫଳକ  ଲଗାନଯାଇ କାମ ଆରମ୍ଭ ହୋଇଥିଲା। ତିନି ସାହିର ଲୋକ ଏହାକୁ ବିରୋଧ କରିବା ସହ ବିଡ଼ିଓ ଙ୍କୁ ଲିଖିତ ଭାବେ ଜଣାଇ ଥିଲେ। ପ୍ରକଳ୍ପର ଅଟକଳ ମୂଲ୍ୟ କେତେ ଗ୍ରାମବାସୀ ଜାଣି ନଥିବା ବେଳେ କଣ କଣ କାମ ହେବ ତାହାବି ଗ୍ରାମବାସୀ ଜାଣି ନାହାନ୍ତି। ଏପରିକି ଏହାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗିବା ସହିତ  ଉଭୟ ଗୋଷ୍ଠୀ ହାତାହାତି ହୋଇ ଥାନା ପର୍ଯ୍ୟନ୍ତ ଯାଇଥିଲେ। ପରବର୍ତ୍ତୀ ସମୟରେ ଗତ ଜାନୁୟାରୀ ୨୮ ତାରିଖ ଠାରୁ ଗ୍ରାମର ଗୋପାଳ ସେଠୀ, ଅନ୍ତର୍ଯ୍ୟାମୀ ସାହୁ, ଶ୍ରୀଧର ଜେନା, ନରହରି ଜେନା, ନଟବର ମହାରଣା, ମାୟାଧର ପଣ୍ଡା, ହଳଧର ପଣ୍ଡା, ନରହରି ପତି, ଶଙ୍କର୍ଷଣ ପଣ୍ଡା, ଭରତ ଶତପଥୀ, ସାଧୁ ଚରଣ ନନ୍ଦ, ନିରଞ୍ଜନ ନନ୍ଦ, ଯୁଧିଷ୍ଠିର ପଣ୍ଡା, ଖଗେଶ୍ୱର ସାହୁ, ନିରୁପମା ନନ୍ଦ, ଅନ୍ନପୂର୍ଣ୍ଣା ପଣ୍ଡା, ଦ୍ରୌପଦୀ ମହାରଣା, ବାସନ୍ତୀ ପଣ୍ଡା, ପାର୍ବତୀ ସାହୁ, ସବିତା ରାଣୀ ଜେନା, ପାର୍ବତୀ ଜେନା, ବାସନ୍ତୀ ଜେନା ଙ୍କ ସମେତ ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି। ଧାରଣା ଖବର ପାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ନନ୍ଦିପଦା ପୋଲିସକୁ ସାଙ୍ଗରେ ନେଇ ଧାରଣାରେ ବସିଥିବା ଗାଁମବାସୀଙ୍କ ସହ ଆଲୋଚନା କରି ଦୁଇଦିନ ଭିତରେ ଗ୍ରାମର ୫ ଜଣଙ୍କୁ ନେଇ କମିଟି ଗଠନ କରି କାମ କରାଯିବ ବୋଲି ପ୍ରତିଶୃତି ଦେଇ ଆସିଥିଲେ। ମାତ୍ର ପରେ ଆଉ କୌଣସି ବ୍ୟବସ୍ଥା କରି ନଥିଲେ। ଯାହାଦ୍ୱାରା ଗ୍ରାମବାସୀ ମାନେ ଧାରଣରୁ ହଟି ନଥିଲେ। ସେହିଦିନ ଠାରୁ ଧାରଣାରେ ବସିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ସେଠାକୁ ଯାଉ ନାହାନ୍ତି। ଲୋକମାନେ କାମଦମ ଛାଡି ରାସ୍ତା କଡରେ ପାଲ ଟାଣି ବସି ରହିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ ଏ ବାବଦରେ ଆଜି ଜାଣିବାକୁ ପାଇଲେ। ଆସନ୍ତା କାଲି ଗାଁ କୁ ଯାଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ