ଜିଲ୍ଲା ସ୍ତରୀୟ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାସ୍ତରୀୟ ସୁରକ୍ଷିତ ଇଣ୍ଟରନେଟ୍ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସରକାରୀ ପଲିଟେକ୍ନିକ୍ କଲେଜ, କେନ୍ଦ୍ରାପଡ଼ାଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ ଆର. ଆୟର ସାଇବର ସୁରକ୍ଷା ଏବଂ ଇଣ୍ଟରନେଟ୍ ବ୍ୟବହାରର ସର୍ବୋତ୍ତମ ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦେଇ, ନିଜ ଅନୁଭବ ଆଧାରରେ ମୂଲ୍ୟବାନ ମତାମତ ରଖିଥିଲେ। ସାଇବର ଠକାମୀର ଶିକାର ହେଲେ ଜଣେ ବ୍ୟକ୍ତି ଯଦି ୩୦ ମିନିଟ ସମୟ(ଗୋଲ୍େଡନ ଆୱାର) ମଧ୍ୟରେ ସାଇବର ଥାନାରେ ଠକାମୀର ଅଭିଯୋଗ ଦାଖଲ କରେ, ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସକୁ ସହଜସାଧ୍ୟ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଇଣ୍ଟରନେଟ୍ର ସୁରକ୍ଷିତ ବ୍ୟବହାର ଉପରେ ଏକ ବିସ୍ତୃତ ପ୍ରସ୍ତୁତିକରଣ ଦେଇଥିଲେ। ସେଥିରେ ଏଆଇ ସମ୍ବନ୍ଧିତ ସାଇବର ଆପଦ, ଏଆଇର ଦାୟିତ୍ୱଶୀଳ ବ୍ୟବହାର, ସାଇବର ହାଇଜିନ୍ ପ୍ରଥା ଏବଂ ସାଇବର ଅପରାଧ ରିପୋର୍ଟ କରିବା ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା। ଏହା ପରେ ସାଇବର ଆପଦ ଓ କୃତିମ ବୁଦ୍ଧିମତା ସମ୍ବନ୍ଧରେ ଏକ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଫେବ୍ରୁୟାରୀ ମାସ ଦ୍ୱିତୀୟ ମଙ୍ଗଳବାରରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳନ କରାଯାଇଥାଏ । ସାଇବର ଠକାମୀର ଶିକାର ହେଲେ ୧୯୩୦ ନମ୍ବରକୁ ଫୋନ କରି ସାଇବର ପୋଲିସ ସହାୟତା ନେବାକୁ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଡେରାବିଶ ତହସିଲଦାର ସରୋଜ କାନ୍ତ ନାୟକ, ଡେରାବିଶ ବିଡିଓ ନମିତା ବାରିକ, ସହକାରୀ ଜିଲ୍ଲା ନିୟୋଜନ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ଡେରାବିଶ ପୋଲିସ ଏସ.ଆଇ, ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷ ଓ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୨ଶହ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶେଷରେ ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷ ବିଭୂତିଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


