ଗଜପତିରେ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ୫ ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର କୌଣସି ନିୟମ କାନୁନକୁ ନ ମାନି ନିଜ ଇଚ୍ଛା ମୁତାବକ ଭାବେ ନିଜ ନିୟନ୍ତ୍ରଣରେ ନିଜ ନିଜ ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଚଳାଇ ଆସୁଥିବା ଯୋଗୁଁ ଗତକାଲିର ମାଟ୍ରିକ ପରୀକ୍ଷା ଦେବାରୁ 5 ଜଣ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି. ଏଭଳି ଅନେକ ଶିକ୍ଷାନୁଷ୍ଠାନ ଗଜପତି ଜିଲ୍ଲାରେ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସେମାନେ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲାର ବୁଦ୍ଧିଜୀବୀମାନେ ଏନେଇ ଉଦବେଗ ପ୍ରକାଶ କରି କହିଛନ୍ତିଯେ ଏଭଳି ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଉଛି. ଏଭଳି ବେଆଇନ ଭାବେ ଚାଲୁ କରି ଟଙ୍କା ଉପାର୍ଜନ ଦ୍ୱାରା ମାଲାମାଲ ହେଉଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଯୋଗୁ ୫ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଏପରି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଘରୋଇ ସ୍ମାର୍ଟ ପବ୍ଲିକ ସ୍କୁଲ୍ରେ | ଗତକାଲି ମଙ୍ଗଳବାର ଠାରୁ ସିବିଏସଇ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସ୍ମାର୍ଟ ପବ୍ଲିକ ସ୍କୁଲକର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁ ୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ପରୀକ୍ଷାରୁ ବଞ୍ଚିତ ଛାତ୍ର ଓ ତାଙ୍କ ଅଭିଭାବକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି. ଗଜପତି ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାସହ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଦାୟୀ ରୁହନ୍ତି ତେବେ ତାଙ୍କ ବିରୁଦ୍ଧରେ ନିଶ୍ଚିତ ଭାବେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି. ଏହି ଘଟଣାରୁ ପ୍ରକାଶ ଯେ, ଜଣେ ଛାତ୍ରୀ ଏବଂ ୪ଜଣ ଛାତ୍ର ଏହି ଜିଲ୍ଲାର କାଶୀନଗର ସ୍ଥିତ ସ୍ମାର୍ଟ ପବ୍ଲିକ ସ୍କୁଲରେ ପଢୁଥିଲେ I ଚଳିତ ବର୍ଷ ସେମାନେ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମ ପୁରଣ କରିଥିଲେ । ହେଲେ ଗତକାଲି ଠାରୁ ସିବିଏସଆଇ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହି ଛାତ୍ରଛାତ୍ରୀଙ୍କ ଆଡ୍ମିଟ୍ କାର୍ଡ ଆସିନଥିବାରୁ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ସଂପର୍କରେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଏବଂ ତାଙ୍କ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଭେଟି ଘଟଣା ନେଇ ପଚାରିବାରୁ ଆଧାର କାର୍ଡରେ ତ୍ରୁଟି ଯୋଗୁ ଏଭଳି ହୋଇଥିବା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ କୁହା ଯାଇଥିଲା. ହେଲେ ଏଥିରେ ସନ୍ତୁଷ୍ଟ ନ ହୋଇ ଜଣେ ଛାତ୍ର ଏବଂ ତାଙ୍କ ମା ସହିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ. ଏଠାରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିଯେ ବର୍ତ୍ତମାନ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଏହି 5 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଦାୟୀ ରହିଥିବା ଅନୁଷ୍ଠାନକୁ କେବଳ କାର୍ଯାନୁଷ୍ଠାନ ଗ୍ରହଣ କଲେ ଏହି ସମସ୍ୟା ଦୂରୀଭୂତ ହୋଇପାରିବ ନାହିଁ. ଏଭଳି ଶିକ୍ଷାନୁଷ୍ଠାନମାନଙ୍କୁ କଳା ତାଲିକାରେ ଅନ୍ତର୍ଭୁକ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କୋମଳମତୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା ଯୋଗୁଁ ଏମାନଙ୍କ ଠାରୁ କ୍ଷତିପୂରଣ ବାବଦରେ ଅର୍ଥ ଆଦାୟ କରି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଉ.


