ଆସିକାର ଯୁକ୍ତଦୁଇ ପରୀକ୍ଷା ଆରମ୍ଭ: କଡା ଯାଞ୍ଚର ସମ୍ମୁଖୀନ ହେଲେ ପରୀକ୍ଷାର୍ଥୀ
ଆସିକା (ୱାଇଏନ୍ଏସ୍) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମର ଥିଓରି ପରୀକ୍ଷା ବୁଧବାର ଠାରୁ ଆସିକା ସରକାରୀ ନିରଞ୍ଜନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହି ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା ବେଳେ ପୂର୍ବାହ୍ନ ୧୦ଘଟିକା ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ଜୋନ୍ ଅଧିନସ୍ଥ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫୨ଜଣ ପରୀକ୍ଷାର୍ଥୀ ଓ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୪୧ଜଣ ପରୀକ୍ଷାର୍ଥୀ ଏବଂ ସରକାରୀ ନିରଞ୍ଜନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୦୨ଜଣ ପରୀକ୍ଷାର୍ଥୀ ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି। ପ୍ରଥମ ଦିନରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷାର୍ଥୀ ମାନେ ମାତୃଭାଷା ଓଡିଆ (ଏମ୍ଆଇଏଲ୍) ପରୀକ୍ଷା ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ବିଜ୍ଞାନ ପରୀକ୍ଷାର୍ଥୀଙ୍କ ପ୍ରଥମ ଦିନରେ ଓଡିଆ ଭାଷା ପରୀକ୍ଷାରେ ଭଲ ପ୍ରଶ୍ନ ଆସିଥିବା ଯୋଗୁଁ ବହୁ ପରୀକ୍ଷାର୍ଥୀ ପରୀକ୍ଷା ଦେଇସାରିବା ପରେ ଖୁସି ମନରେ ଫେରିଥିବା ଦେଖିବାକୁ ମିଳିଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ, ଆସିକା ବିଜ୍ଞାନ ମହାବିଦ୍ୟାଳୟର ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ପ୍ରଫେସର ବିଭୁତି ଭୂଷଣ ବେବର୍ତ୍ତା, ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା ନିଜନିଜ କଲେଜରେ ଅନୁଷ୍ଟିତ ହୋଇଥିବା ଏହି ଯୁକ୍ତଦୁଇ ଥିଓରି ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବା ଲାଗି ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷାରେ କପି ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା। ଏହି ଯୁକ୍ତ ଦୁଇ ପରୀକ୍ଷାକୁ ଶାନ୍ତି, ଶୃଙ୍ଖଳା ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସର୍ବାଧିକ ସତର୍କତା ଗ୍ରହଣ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିକ୍ୟାମେରା ସଂଯୋଗକୁ ସୁନିଶ୍ଚିତ ଓ ବାଧ୍ୟତାମୂଳକ କରାଯାଇଥିଲା ବେଳେ ପରୀକ୍ଷାର୍ଥୀ ମାନେ ପ୍ରଥମ ଦିନର ପରୀକ୍ଷାରେ କଡାଯାଞ୍ଚର ସମ୍ମୁଖୀନ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ପରୀକ୍ଷା କେନ୍ଦ୍ରକୁ ଆଡମିଟ୍ କାର୍ଡ ବ୍ୟତୀତ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଥିଲା । ପରୀକ୍ଷା କେନ୍ଦ୍ର ଗୁଡିକ ସିସିଟିଭି ବଳୟରେ ରହିଥିଲା ବେଳେ ଏହି ପରୀକ୍ଷାକୁ ସଂପୁର୍ଣ୍ଣ କପିମୁକ୍ତ, ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ସମାପ୍ତ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଖୋଲିଥିବା ହବ୍ ସେଣ୍ଟରରୁ ପ୍ରଶ୍ନପତ୍ର ଗୁଡିକ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୬ ବର୍ଷର ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆସନ୍ତା ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।


