୧୦ମାସ ହେଲା ୩ ଜଣ କୃଷକ ସାଥୀଙ୍କୁ ମିଳୁନି ମାସିକ ପ୍ରୋତ୍ସାହନ ରାଶି: ଜିଲାପାଳଙ୍କ ଠାରେ ଅଭିଯୋଗ
ବନ୍ତ,(ଓ୍ବାଇଏନଏସ) : ବନ୍ତ ବ୍ଲକର ୩ ଜଣ କୃଷକ ସାଥୀଙ୍କୁ ଗତ ୨୦୨୫ ଏପ୍ରିଲ ଠାରୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରାନଯିବା ନେଇ ସୋମବାର ବ୍ଲକରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ କୃଷକ ସାଥୀ ପର୍ଶୁରାମ ପଣ୍ଡା, ରାଧାକାନ୍ତ ଆଇଚ ଓ ଭରତ ଚନ୍ଦ୍ର ପହି ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ବନ୍ତ ବ୍ଲକର ୨୫ ପଞ୍ଚାୟତର ପ୍ରାୟ ୪୦ ଜଣ କୃଷକ ସାଥୀଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିବା ବେଳେ ୩ ଜଣ କୃଷକ ସାଥୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉନାହିଁ । ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ଏବଂ ଆର.ଟି.ଆଇ ମାଗିବା କଣ ଅପରାଧ ବୋଲି ପ୍ରୋତ୍ସାହନ ପାଇନଥିବା ୩ ଜଣ କୃଷକ ସାଥୀ ମାନେ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ବ୍ଲକ କୃଷି ଅଧିକାରୀ ବନ୍ତ ବ୍ଲକକୁ ଆସିବା ପରେ ପ୍ରଥମ ବୈଠକରେ କୃଷକ ସାଥୀଙ୍କ ନିଯୁକ୍ତି ଓ ବହିଷ୍କାର ସମ୍ପର୍କରେ କହିଥିଲେ । ପରବର୍ତ୍ତୀ ସମୟରେ କୃଷକ ସାଥୀ ମାନେ ଅଭିଯୋଗ କରିବା ପରେ କୃଷକ ସାଥୀ ସଂଘର ସମ୍ପାଦକ ରାଧାକୃଷ୍ଣ ଆଇଚ ଓ ସଭାପତି ପର୍ଶୁରାମ ପଣ୍ଡାଙ୍କୁ କୃଷକ ସାଥୀରୁ ବାହାର କରିବା ପାଇଁ ଯୋଜନା କରାଯାଉଛି । ଗତ ୨୦୨୪-୨୫ ରବି ଫସଲ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା, କ୍ଷେତ୍ରରେ ଚାଷ ନହୋଇ କେବଳ କାଗଜପତ୍ର ରେକର୍ଡରେ ସରକାରୀ ଯୋଜନା କରାଯିବା ନେଇ ପୂର୍ବରୁ କୃଷକ ସାଥୀ ମାନେ ଅଭିଯୋଗ କରିଥିଲେ । ମାତ୍ର ଜିଲା କୃଷି ଅଧିକାରୀ ସମ୍ପୃକ୍ତ ବ୍ଲକ କୃଷି ଅଧିକାରୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେ ନାହିଁ । ଅପରପକ୍ଷେ ବ୍ଲକ କୃଷି ଅଧିକାରୀ କୃଷକ ସାଥୀଙ୍କୁ ବାହାର କରିବା ଏବଂ ୧୦ମାସ ହେବ ପ୍ରୋତ୍ସାହନ ରାଶି ପ୍ରଦାନ ନକରିବା ନେଇ ୩ ଜଣ କୃଷକ ସାଥୀ ଅଭିଯୋଗରେ ଦର୍ଶାଇଛନ୍ତି । ଏସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ବକେୟା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଅଭିଯୋଗରେ ଦାବୀ କରାଯାଇଛି ।


