ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ନିମନ୍ତେ କଟକ ନୂଆପଡାଠାରେ ସ୍ବତନ୍ତ୍ର ଶିବିର

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଦ୍ଵାରା ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ନିମନ୍ତେ ଏକ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ନୂଆପଡ଼ା ବାଲିସାହି ସ୍ଥିତ ଗାଦି ଗୋସାଇଁ ପଡ଼ିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ସହାୟତା ପାଇଁ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରାଯିବା ସହ ରାଜ୍ୟରେ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ନିମନ୍ତେ ସରକାରଙ୍କ ପ୍ରାଥମିକତା ସଂପର୍କରେ ଏକ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହେଇଥିଲା। ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ, ଇଂ ପ୍ରକାଶ ଚନ୍ଦ୍ର ସେଠୀ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପ୍ରଗତିରେ ନିର୍ମାଣ ଶ୍ରମିକମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରି ନିର୍ମାଣ ଶ୍ରମିକମାନଙ୍କର ସୁରକ୍ଷା ଓ ଆର୍ଥିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଆମ ଜିଲ୍ଲାରେ ସମସ୍ତ ନିର୍ମାଣ ତଥା ଅଣ ସଂଗଠିତ ଶ୍ରମିକ ମାନେ ଏହି ବୋର୍ଡ ମାଧ୍ୟମରେ ସମୟ ସମୟରେ ପଞ୍ଜିକୃତ କରିନେବା ସହ ଆବଶ୍ୟକସ୍ଥଳେ ଶ୍ରମିକ କାର୍ଡ ନବୀକରଣ କରିନେବା ପାଇଁ ଅନୁରୋଧ କରିଥିଲେ।ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ କୌଣସି ହିତାଧିକାରୀ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରି ଉପଯୁକ୍ତ ସହାୟତା ରାଶି ପ୍ରଦାନ କରୁଛନ୍ତି। ଏଥି ସହ ନିଜର ମତବ୍ୟକ୍ତ କରି କହିଲେ ଯେ ନିଜ ନିଜ ପରିବାର ସହ ସମ୍ପର୍କୀୟ ମାନଙ୍କୁ ନିର୍ମାଣ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସରକାରୀ ସହାୟତା ସଂପର୍କରେ ଅବଗତ କରାଇବା ସହ ଆବଶ୍ୟକସ୍ଥଳେ ସେମାନଙ୍କୁ ସାମିଲ କରାଇ ଏହି ସୁବିଧା କିପରି ଉପଲବ୍ଧ କରାଯାଇପାରିବ, ସେଥିପ୍ରତି ପ୍ରଚେଷ୍ଟା ରହିବ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟଲୋଚନ ମହାନ୍ତ ଯୋଗଦେଇ କହିଥିଲେ, ରାଜ୍ୟରେ କଟକ ଜିଲ୍ଲା ରେ ସର୍ବାଧିକ ଶ୍ରମିକ ଭାଇ ଭଉଣୀମାନେ ପଞ୍ଜୀକୃତ ହୋଇଛନ୍ତି ଏବଂ ସର୍ବାଧିକ ସହାୟତା ରାଶି ପ୍ରଦାନ କରାଯାଇଛି । ସରକାରୀ ଯୋଜନା ଗୁଡିକ କିପରି ଭାବେ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ ଜିଲ୍ଲା ପ୍ରଶାସନ ସଦା ସର୍ବଦା ଚେଷ୍ଟିତ ଓ ଏହି ସମ୍ପର୍କରେ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଥିଲେ l ଆୟୋଜିତ ଏହି ସ୍ୱତନ୍ତ୍ର ଶିବିରରେ ମୁଖ୍ୟ ଅତିଥି ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିବା ସହ ନିର୍ମାଣ ଶ୍ରମିକ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସମଗ୍ର କଟକ ଜିଲ୍ଲାରେ ୪୦୯୯ ଜଣ ହିତାଧିକରୀଙ୍କୁ ଏବଂ ୫୦ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଶିକ୍ଷା ବୃତ୍ତି, ବିବାହ ସହାୟତା, ମୃତ୍ୟୁ କାଳୀନ, ପ୍ରସୂତି କାଳୀନ ଆଦି ସହାୟତା ନିମନ୍ତେ ଏକ କାଳୀନ ସର୍ବାଧିକ ୨୬ କୋଟି ୨୦ ଲକ୍ଷ୍ୟ ୭୮ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ତଥା ଜିଲ୍ଲାରେ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଅଧିକ ରାଶି ପ୍ରଦାନ କରାଯାଇଛି।ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଶିବିରର ସମସ୍ତ ଆୟୋଜନ ଓ ସଭା ପରିଚାଳନା କରିଥିଲେ।ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରୀତିବନ୍ଧନ ଘଡାଇ, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ମୋନାଲିସା ପାଢୀଙ୍କ ସମେତ କାର୍ଯ୍ୟଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନର ସମସ୍ତ ସହଯୋଗ କରିଥିଲେ। ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ